ବୌଦ୍ଧ,୯/୧୧- ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷର ଚିଠା ଭୋଟର ତାଲିକା ପ୍ରକାଶିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ବବିତାରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭାରେ ଜିଲ୍ଲାର ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଚଳିତବର୍ଷ ଭୋଟର ମାନଙ୍କ ସୁବିଧା ନିମନ୍ତେ ଭୋଟର ହେଲ୍ପଲାଇନ ଆପ ପ୍ରଚଳିତ କରାଯାଇଥିଲା । ଏହି ଆପ ଦ୍ୱାରା ସାଧାରଣ ଜନତା ଭୋଟର ତାଲିକାରେ ନିଜ ନାମ ଯାଞ୍ଚ, ସଂଶୋଧନ, ସ୍ଥାନାନ୍ତର ଅଥବା ନୂତନ ଭୋଟର ଭାବରେ ଆବେଦନ କରିପାରିବେ କିମ୍ବା ନିଜର ବୁଥସ୍ତରୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ନିଜ ନାମ ଭୋଟର ତାଲିକାରେ ପଞ୍ଜିକରଣ କରିପାରିବେ । ଜିଲ୍ଲାର ମହିଳା ଭୋଟର ସଂଖ୍ୟା ରାଜ୍ୟ ହାରାହାରି ଠାରୁ କମ୍ ଥିବାରୁ, ଭୋଟର ପଞ୍ଜିକରଣ ଅଧିକାରୀ ସମସ୍ତ ରାଜନୈତିକ ଦଳର ବୁଥସ୍ତରୀୟ ପ୍ରତିନିଧିଙ୍କ ସହଯୋଗ ମାଗିଥିଲେ, ଯେଭଳି ସମସ୍ତ ମହିଳା ଭୋଟରଙ୍କୁ ଚଳିତ ଚୁଡାନ୍ତ ଭୋଟର ତାଲିକାରେ ପଞ୍ଜିକୃତ କରିପାରିବା । ୮୫-କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ମହିଳା-୮୦୦୨୬, ପୁରୁଷ-୮୩୯୬୮,ତୃତୀୟ ଲିଙ୍ଗ-୨ ଏବଂ ୮୬ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ମହିଳା- ୭୮୭୬୧, ପୁରୁଷ-୮୩୩୩୦,ତୃତୀୟ ଲିଙ୍ଗ-୫ ପଞ୍ଜିକୃତ ହୋଇଛନ୍ତି । ଗତ ଚୂଡାନ୍ତ ଭୋଟର ତାଲିକାରେ ସମୁଦାୟ ୩୨୬୦୯୨ଭୋଟର ପଞ୍ଜିକୃତ ହୋଇଛନ୍ତି ବୋଲି ଉପ-ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ସନତ କୁମାର ନାଏକ ସୂଚନା ଦେଇଥିଲେ । ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର, ଛାତ୍ରୀଙ୍କୁ ନେଇ ଗଠିତ ଭୋଟର ସାକ୍ଷରତା କ୍ଲବରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି, କଂଗ୍ରେସ ତରଫରୁ ଶାନ୍ତନୁ କୁମାର ମହାପାତ୍ର ଏବଂ ବିଜୁ ଜନତା ଦଳରୁ ଶୀତାଂଶୁ ଶେଖର ମହାକୁଡ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପ ବିଭାଗ ଅଧିକାରୀ ରାଜଗୋପାଳ ମହାପାତ୍ର, ବରିଷ୍ଠ ରାଜସ୍ୱ ସହାୟକ ସରୋଜ କୁମାର ବେହେରା ଏବଂ କନିଷ୍ଠ ରାଜସ୍ୱ ସହାୟକ ଜିତେନ୍ଦ୍ର କୁମାର ମେହେର, ମନୋଜ କୁମାର ବେହେରା ଓ ପ୍ରଦୀପ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।