ବୌଦ୍ଧରେ ଶୁଭାରମ୍ଭ ହେଲା ଲକ୍ଷ୍ମୀ ବସ୍‌

0 147

ବୌଦ୍ଧ,୨୧/୨:- ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ଲକ୍ଷ୍ମୀ ବସ୍‌ ଯୋଜନା ଆଜି ବୌଦ୍ଧ ଜିଲ୍ଲାରେ ଶୁଭାରମ୍ଭ ହୋଇଯାଇଛି । ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜିଲ୍ଲା ଷ୍ଟାଡିୟମ୍‌ ଠାରେ ଏହି ଯୋଜନା ଲୋକାର୍ପଣ ଉତ୍ସବ ଆୟୋଜନ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି । ଉଦଘାଟନୀ ଉତ୍ସବରେ ବାଣିଜ୍ୟ ପରିବହନ ଓ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ଜଙ୍ଗଲ ପରିବେଶ, ପଞ୍ଚାୟତିରାଜ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ, କଣ୍ଟାମାଳ ବିଧାୟକ ତଥା ଯୋଜନାବୋର୍ଡ ଅଧ୍ୟକ୍ଷ ମହୀଧର ରଣା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭଗବାନ କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଜିଲ୍ଲାପାଳ ଜେ. ସୋନାଲ, ଆରକ୍ଷୀ ଅଧିକ୍ଷକ ରାଜ ପ୍ରାସାଦ ଯୋଗଦେଇଥିଲେ । ଏହି ସମାରୋହରେ ମନ୍ତ୍ରୀ ଶ୍ରୀ ଅମାତ ଓଡିଶା ବିକାଶର ବିନ୍ଧାଣୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଆମ ରାଜ୍ୟ ପ୍ରତ୍ୟେକ କ୍ଷେତ୍ରରେ ବିକାଶ ଧାରାରେ ପ୍ରବାହିତ ହେଉଥିବା ବେଳେ ଲକ୍ଷ୍ମୀ ବସ୍‌ ଯୋଜନା ବିକାଶ ଧାରାରେ ଆଉ ପାଦେ ଆଗେଇବ ବୋଲି କହିଥିଲେ । ସେହିପରି ମନ୍ତ୍ରୀ ଟୁକୁନି ସାହୁ ଓଡିଶାରେ ସାଢେ ୪ କୋଟି ଲୋକଙ୍କୁ ନିଜ ପରିବାର ବୋଲି ଭାବୁଥିବ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଯୋଗୁଁ ରାଜ୍ୟ ଜନସଂଖ୍ୟାର ୫୦ ପ୍ରତିଶତ ମହିଳା ଏହି ଯୋଜନାରେ ସଶକ୍ତ ହେବେ ବୋଲି ବକ୍ତବ୍ୟ ରଖିଥିଲେ । ପ୍ରଥମ ପର୍ଯ୍ୟାୟରେ ବୌଦ୍ଧ ଜିଲ୍ଲାରେ ୬ ଗୋଟି ବସ୍‌ ସେବା ଆରମ୍ଭ ହୋଇଥିବା ବେଳେ ବୌଦ୍ଧ ବ୍ଲକରେ ଦୁଇଟି, କଣ୍ଟାମାଳ ବ୍ଲକରେ ଦୁଇଟି ଏବଂ ହରଭଙ୍ଗା ବ୍ଲକରେ ଦୁଇଟି ବସ୍‌ ଚଳାଚଳ କରିବ ବୋଲି ଜଣାପଡିଛି । ଏହି ଯୋଜନା ଦ୍ୱାରା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ, ମହିଳା, କୃଷକ, ଦିନ ମଜୁରିଆଙ୍କ ସମେତ ପ୍ରତ୍ୟେକ ଗ୍ରାମବାସୀ ସୁଲଭ ମୂଲ୍ୟରେ ବ୍ଲକ ମୁଖ୍ୟାଳୟକୁ ଯିବାଆସିବା କରି ପାରିବେ । ମହିଳା, ଛାତ୍ରଛାତ୍ରୀ ମାନେ ୫ ଟଙ୍କାରେ ଏବଂ ଅନ୍ୟମାନେ ୧୦ ଟଙ୍କା ଦେଇ ଲକ୍ଷ୍ମୀ ବସ୍‌ରେ ଯିବାଆସିବା କରିପାରିବେ । ବସ ସେବା ଉଦଘାଟନ ପରେ ଉପସ୍ଥିତ ଉଭୟ ମନ୍ତ୍ରୀ, ଜିଲ୍ଲାପାଳ, ଏସପି ଏବଂ ଅନ୍ୟାନ୍ୟ ଅତିଥି ମାନେ ଏହି ବସ୍‌ରେ ଭ୍ରମଣ କରିଥିଲେ ।

hiranchal ad1
Leave A Reply

Your email address will not be published.

twenty − two =