ବୌଦ୍ଧ,୨ା୧୧ : ବୌଦ୍ଧ ମହାନଦୀ କୂଳରେ ଥିବା ଗେହ୍ଳାମା ମନ୍ଦିର ପରିସରରେ ଦୀର୍ଘ ୭ ଦିନ ହେଲା ଅବହେଳିତ ଅବସ୍ଥାରେ ପଡିଥିବା ଜଣେ ଅସହାୟ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଗତ ୨୮ ତାରିଖ ଦିନ ବୌଦ୍ଧଜିଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ବୌଦ୍ଧ ଆଶ୍ରୟ ଅନୁଷ୍ଠାନରେ ରଖାଯାଇଥିଲା । ସଂପୃକ୍ତ ବ୍ୟକ୍ତିଙ୍କ ପରିବାରଲୋକଙ୍କ ସହ ପ୍ରଶାସନ ପକ୍ଷରୁ ଯୋଗାଯୋଗ କରାଯିବାପରେ ତାଙ୍କର ପିତା ଧୁବେଇ ଷାଣ୍ଢ ପୁଅକୁ ଘରକୁ ଫେରାଇନେବାକୁ ଆଶ୍ରୟକେନ୍ଦ୍ରରେ ପହଞ୍ଚିଥିଲେ ମଧ୍ୟ ସେ ଯିବାକୁ ରାଜି ହୋଇନଥିଲେ । ଫଳରେ ଜିଲା ପ୍ରଶାସନ ପକ୍ଷରୁ ମାନସିକ ବିକୃତ ଅବସ୍ଥାରେ ଥିବା ନୀଳମଣିକୁ ଚିକିତ୍ସା ସେବା ଯୋଗାଇଦେବାର ବ୍ୟବସ୍ଥା କରାଯାଇଥିଲା । ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଡାକ୍ତରୀ ଦଳ ସହିତ ଜିଲ୍ଲା ସାମାଜିକ ସୂରକ୍ଷା ଅଧିକାରୀ ଆଦିପତି କହଁର ଆଶ୍ରୟ କେନ୍ଦ୍ରରେ ପହଞ୍ଚିଥିଲେ । ନୀଳମଣିଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଡାକ୍ତରୀଦଳ ପଚାରି ବୁଝିବା ସହିତ ତାଙ୍କୁ ଘରକୁ ଫେରାଇନେବାକୁ ଆଲୋଚନା କରିଥିଲେ । କିନ୍ତୁ ସେ ଘରକୁ ଫେରିବାକୁ ରାଜି ନହେବାରୁ ଅଧିକ ୭ ଦିନ ପର୍ଯ୍ୟନ୍ତ ତାଙ୍କୁ ଆଶ୍ରୟ କେନ୍ଦ୍ରରେ ରଖାଯିବାସହ ଚିକିତ୍ସାସେବା ଯୋଗାଇଦେବାକୁ ନିଷ୍ପତି ଗ୍ରହଣ କରାଯାଇଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକହଁର ସୂଚନା ପ୍ରଦାନ କରିଛନ୍ତି । ଏହି ଡାକ୍ତରୀଦଳରେ ମନସ୍ତତ୍ତ୍ୱବିତ ଡା. ଅବିନାଶ ମିଶ୍ର, ସାମାଜିକ କର୍ମୀ ସିଦ୍ଧାର୍ଥ କୁମାର ସାହୁ, ସେବିକା ଶୈଳବାଳା ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀି ରୀତାକାନ୍ତି ବଳିଆରସିଂ, କର୍ମଚାରୀ ଅକ୍ଷୟ କୁମାର ମହାକୁଡ ଓ ଆଶ୍ରୟ କେନ୍ଦ୍ରର ପରିଚାଳକ କୃପାସିନ୍ଧୁ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।