ବୌଦ୍ଧ,୬/୧୧- ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନ ବୌଦ୍ଧ ଦ୍ୱାରା ବୀରନରସିଂହପୁରସ୍ଥିତ ରାମକୃଷ୍ଣ ବାଳାଶ୍ରମ ଶିଶୁଯତ୍ନ ଅନୁଷ୍ଠାନ ଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ମହକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ଅୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ଥିବା ଦୁଇଗୋଟି ଶିଶୁଗୃହର ସମସ୍ତ ଶିଶୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି କାଯ୍ୟକ୍ରମରେ ଅତିଥିଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହରଭଙ୍ଗା ରବିନ୍ଦ୍ରନାଥ କହଁର ଯୋଗଦେଇ ଶିଶୁ ମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ ହୋଇପାରିଲେ ରାଷ୍ଟ୍ର ଉନ୍ନତିରେ ସହାୟକ ହେବ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବରେ ବୌଦ୍ଧ ଗୋଷ୍ଠି ଉନ୍ନୟନ ଅଧିକାରୀ ଅବିନାଶ ପାଣ୍ଡିଆ ଯୋଗଦେଇ ପାଠପଢା ସହ କଳା ଓ ସଂସ୍କୃତି କ୍ଷେତ୍ରରେ ନିଜକୁ ବିକଶିତ କରିପାରିଲେ ସମାଜରେ ଜଣେ ପ୍ରତିଷ୍ଠିତ ନାଗରିକ ହୋଇପାରିବେ ବୋଲି ବକ୍ତବ୍ୟ ରଖିଥିଲେ । ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ସାକ୍ଷୀଗୋପାଳ ପ୍ରଧାନ ଯୋଗଦେଇ ଶିଶୁମାନେ ସମସ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଶିଶୁ ଅଧିକାରକୁ ସୁନିଶ୍ଚିତ କରିପାରିବ ବୋଲି ମତ ରଖିଥିଲେ । କିଶୋର ନ୍ୟାୟ ବୋର୍ଡ ସଦସ୍ୟ ରାଜିବ ନାଏକ ଯୋଗଦେଇ ସମୟର ସଦୁପଯୋଗ କରିବା ସଙ୍ଗେ ସଙ୍ଗେ ଦୈନିକ ପୁସ୍ତକ ପଠନ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଶିଶୁ ପ୍ରତିନିଧି ଭାବେ ପ୍ରଭାସିନି କ୍ଷେତି ଯୋଗଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବୌଦ୍ଧ ଯୋଗଦେଇ ଜିଲ୍ଲାସ୍ତରୀୟ ମହକ କାର୍ଯ୍ୟକ୍ରମର ସମସ୍ତ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସମସ୍ତ ୧୮ ଜଣ ପ୍ରତିଯୋଗୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ ବୋଲି ସୁଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାମକୃଷ୍ଣ ବାଳାଶ୍ରମର ସମ୍ପାଦକ ନବିନ ବଘାର, ହାରଭେଷ୍ଟ ବ୍ଲେସିଂ ର ଅନନ୍ତ ସୁନା ଯୋଗଦେଇଥିଲେ । ଅତିଥି ମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ଯଥା ନୃତ୍ୟ, ସଙ୍ଗୀତ, ବକ୍ରୃତା, ଚିତ୍ରାଙ୍କନ, କୁଇଜ ରେ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ଶିଶୁଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଶିଶୁ ସୁରକ୍ଷା ୟୁନିଟର ଚିତ୍ରସେନ ସାହୁ ସଂଯୋଜନା କରିଥିଲେ । ଶିଶୁ ସୁରକ୍ଷା ୟୁନିଟର ବସନ୍ତ ଦିଶିରି, ସହଦେବ ନାଏକ ଓ ରାମକୃଷ୍ଣ ବାଳାଶ୍ରମର ଶିଶୁ ମଙ୍ଗଳ ଅଧିକାରୀ ନୀଳାଚଳ ପ୍ରଧାନ, ପରାମର୍ଶଦାତା ପ୍ରବିଣ କୁମାର ହୋତା, ଲିପିକା ଦେହୁରୀ, ଦମୟନ୍ତୀ ହେମ୍ବ୍ରମ, ବବିତା ଗାଇଗୌରିଆ, ପୁଷ୍ପାଞ୍ଜଳୀ ବାଘ, ବିଜୟୀନି, ସନ୍ତୋଷ ଷାଣ୍ଢ ସହଯୋଗ କରିଥିବାବେଳେ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର ମଲ୍ଲିକ ଧନ୍ୟବାଦ ଦେଇଥିଲେ ।