ବୌଦ୍ଧରେ ସର୍ବବୃହତ ରାକ୍ଷୀବାନ୍ଧି ବିଶ୍ୱରେକର୍ଡ କରିବାରେ ସଫଳ

0 133

ବୌଦ୍ଧ,୧୧/୧୧- ଚଳିତବର୍ଷ ରାକ୍ଷୀପୂର୍ଣ୍ଣିମା ଅବସରରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ ଇକୋକ୍ଲବ ଏବଂ ଉଦ୍ଭିଦ ବିଜ୍ଞାନ ତରଫରୁ ଯେଉଁ ୧୪ ଫୁଟ ଚଉଡାର ସର୍ବବୃହତ ରାକ୍ଷୀ ତିଆରିକରି ଏକ ବିଶାଳ ବୃକ୍ଷରେ ବନ୍ଧାଯାଇ ବିଶ୍ୱରେକର୍ଡ କରିବାପାଇଁ ପ୍ରୟାସ କରାଯାଇଥିଲା ତାହାକୁ ସ୍ୱୀକୃତି ପ୍ରଦାନ କରିଛି । ଗୁଜୁରାଟର ୱାର୍ଲଡ ରେକର୍ଡ ଇଣ୍ଡିଆ ସଂସ୍ଥା । ସେହି ସଂସ୍ଥା ତରଫରୁ ନିକଟରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟକୁ ପ୍ରମାଣପତ୍ର ଓ ଗୋଲ୍‌ଡ ମେଡାଲ ପ୍ରଦାନ କରିଛନ୍ତି । ଏହି ବୃହତ୍ତମ ରାକ୍ଷୀର ପରିକଳ୍ପନା ତଥା ମୁଖ୍ୟ ନିର୍ମାତା ଅଧ୍ୟାପକ ଡ. ପ୍ରବୀର କୁମାର ଦାସଙ୍କୁ ମଧ୍ୟ ପ୍ରମାଣପତ୍ର ଓ ଗୋଲ୍ଡ ମେଡାଲ ସଂସ୍ଥା ତରଫରୁ ପ୍ରଦାନ କରାଯାଇଛି । ଦୀର୍ଘ ୧୦ଦିନ ପରିଶ୍ରମକରି ମହାବିଦ୍ୟାଳୟର ବଟାନିକାଲ ଗାର୍ଡନର ବାଉଁଶ, ଅଦରକାରୀ କାଗଜପଟି, ସୁତୁଲି, ଡ୍ରଇଁସିଟ୍‌, ପତ୍ର ଇତ୍ୟାଦି ଜୈବିକ ପଦାର୍ଥ ବ୍ୟବହାରକରି ଏହି ରାକ୍ଷୀ ନିର୍ମାଣ କରାଯାଇ ବୃକ୍ଷର ସୁରକ୍ଷା ଏବଂ ସବୁଜିମା ସୃଷ୍ଟିପାଇଁ ସଚେତନତା କରାଯାଇଥିଲା । ଏଥିରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର, ତାଙ୍କ ସହଧର୍ମିଣୀ, ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୃକ୍ଷ ରକ୍ଷାବନ୍ଧନ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରାଯାଇଥିଲା । ସ୍ୱୀକୃତିର ପ୍ରମାଣପତ୍ର ପାଇଲାପରେ ବୌଦ୍ଧ ଜିଲ୍ଲାପାଳ ତାଙ୍କ ପ୍ରକୋଷ୍ଠରେ ଅଧ୍ୟାପକ ଦାସ ଏବଂ ସହଯୋଗୀ ଶିକ୍ଷକ ବସନ୍ତ କୁମାର ସାହୁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବାସହ ବୌଦ୍ଧଜିଲ୍ଲାର ନାମ ବିଶ୍ୱରେକର୍ଡରେ ସ୍ଥାନିତ କରିଥିବାରୁ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଆଗାମୀ ଦିନରେ ଏକ ସାଧାରଣ ସଭାକରି ସମସ୍ତ ସହଯୋଗୀମାନଙ୍କୁ ସମ୍ବର୍ଦ୍ଧନା କରିବାପାଇଁ ଘୋଷଣା କରିବାସହ ଏହାର ପ୍ରତିକୃତିକୁ ଜିଲ୍ଲା ସଂଗ୍ରହାଳୟରେ ରଖାଯିବାପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

five × four =