ବୌଦ୍ଧ,୧୮/୧୧:- ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡିଶା ବନ୍ଦ ଡାକରାରେ ବୌଦ୍ଧଜିଲ୍ଲା ମଧ୍ୟ ସାମିଲ ହୋଇଛି । କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ଓ କେକେଡି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ୍ ଡାକରା ବୌଦ୍ଧଜିଲ୍ଲାରେ ଶାନ୍ତିପୂର୍ଣ୍ଣ ରହିଛି । ପଶ୍ଚିମ ଓଡିଶାକୁ ଅବହେଳା, ବୈମାତୃକ ମନୋଭାବ, ଭାଷାକୁ ବିରୋଧ ଅଭିଯୋଗ ଆଣି ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ ବୌଦ୍ଧସହରରେ ଏହି ବନ୍ଦ୍ ପାଳନ କରାଯାଇଥିଲା । ଆଜି ବୌଦ୍ଧ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଅଫିସ, ଗାଡି ଚଳାଚଳ ଏବଂ ଦୋକାନ ବଜାର, ବ୍ୟାଙ୍କ ବନ୍ଦ ରହିଥିବାବେଳେ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି । ସହରର ବ୍ରିଜ ଛକଠାରେ କୋଶଳପ୍ରେମୀମାନେ ପିକେଟିଂ କରି ବନ୍ଦ କରୁଥିବାବେଳେ ଜନସାଧାରଣ ମଧ୍ୟ ସମର୍ଥନ କରି ବନ୍ଦରେ ସାମିଲ ହୋଇଥିଲେ । ଯାନବାହନ ଚଳାଚଳ ବନ୍ଦ ରହିଥିବାରୁ ବ୍ରିଜଛକ ଠାରେ ବହୁସଂଖ୍ୟାରେ ଗାଡିସବୁ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ସୁବେଦାର ଲଳିତ କୁମାର ସାହୁଙ୍କ ନେତୃତ୍ୱରେ ଶତାଧିକ କୋସଲ କର୍ମୀ ଏହି ବନ୍ଦରେ ସାମିଲ ହୋଇ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦପାଳନ କରିଥିଲେ । ବୌଦ୍ଧସହର ସମେତ ବାଉଁଶୁଣୀ, ସାହାଜପାଲ, ଜହ୍ନାପଙ୍କ, ମନମୁଣ୍ଡା, ପୁରୁଣାକଟକ, ଚାରିଛକରେ ଏହି ବନ୍ଦ ପାଳନ ହୋଇଥିଲା । ବନ୍ଦ ଯୋଗୁଁ ରାସ୍ତାଘାଟ ଶୂନଶାନ ହୋଇପଡିଥିଲା । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ସହରର ବିଭିନ୍ନ ଛକମାନଙ୍କରେ ବ୍ୟାପକ ପୁଲିସ ମୁତୟନ କରାଯାଇଥଲା ।