ଆବଶ୍ୟକରୁ କମ୍‌ ୟୁରିଆ ଯୋଗାଣ, କେମିତି ବାଣ୍ଟିବେ ଚିନ୍ତାରେ ପେକ୍ସ ସମ୍ପାଦକ

0 760

ବୌଦ୍ଧ,୧୮/୯ – ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର ଘୋର ଅଭାବ । ଆବଶ୍ୟକତା ଠାରୁ କମ୍‌ ସାର ଆସିଥିବାରୁ ସାର ବସ୍ତାଟେ କିଣିବା ପାଇଁ ଚାଷୀକୁ ସଙ୍ଘର୍ଷ କରିବାକୁ ପଡୁଛି । ଚଳିତ ସପ୍ତାହରେ ଜିଲ୍ଲାକୁ କିଛି ସାର ଆସିଛି ଯାହା ସମୁଦ୍ରକୁ ଶଙ୍ଖୀଏ ପରି । ସାର ୩୦୦ ବସ୍ତାରେ ହଜାରେ ଚାଷୀ । ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଯେ ଜଣେ ଚାଷୀଙ୍କୁ ବସ୍ତାଏ ଲେଖାଏଁ ଦେବା ମଧ୍ୟ ସମ୍ଭବ ନୁହେଁ । ଚାଷୀ ମାନଙ୍କ ଭିଡ ଦେଖି ସାର ବିକ୍ରୀ କରିବାକୁ ସାହାସ ଜୁଟାଇ ପାରୁନାହାନ୍ତି ସାର ନେଇଥିବା ସମବାୟ ସମିତି ସମ୍ପାଦକ ମାନେ । ସମସ୍ତଙ୍କ ସାର ଦରକାର ଅଛି କାହାକୁ ଦେବେ କାହାକୁ ମନା କରିବେ । ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସମିତି ଆଗରେ ହାଜରା ଦେଉଛନ୍ତି ଚାଷୀ । କୃଷି ବିଭାଗ କିନ୍ତୁ ବେଫିକର୍‌ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସେଥିପ୍ରତି ଧ୍ୟାନ ଦେଉନଥିବାରୁ ଏଭଳି ପରିସ୍ଥିତି ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଦୁଇ ଦିନ ତଳେ କୃଷି ବିଭାଗ ୧୬ ଗୋଟି ସେବା ସମବାୟ ସମିତିକୁ ୫୦୫୧ ବସ୍ତା ସାର ଯୋଗାଇ ଦେଇଛି । ଲୋକାପଡା ସମିତିକୁ ୩୦୦ ବସ୍ତା, ଶିମିଳିପଦର ସମିତିକୁ ୨୭୦ ବସ୍ତା, ବଘିଆ ପଡା ସମିତିକୁ ୩୪୦ ବସ୍ତା, ଘଣ୍ଟାପଡା ସମିତିକୁ ୩୬୧ ବସ୍ତା, ଶୁଣ୍ଢିପଦର ସମିତିକୁ ୩୨୦ ବସ୍ତା, ଦହ୍ୟା ସମିତିକୁ ୪୦୦ ବସ୍ତା, ବରଗାଁ ସମିତିକୁ ୪୦୦ ବସ୍ତା, ବହିରା ସମିତିକୁ ୩୦୦ ବସ୍ତା, କୁଲୁତାଜୋର୍‌ ସମିତିକୁ ୨୪୦ ବସ୍ତା, ନାରାୟଣ ପ୍ରସାଦ ସମିତିକୁ ୩୦୦ ବସ୍ତା, ମନମୁଣ୍ଡା ସମିତିକୁ ୫୦୦ ବସ୍ତା, ତେଲିବନ୍ଧ ସମିତିକୁ ୪୫୦ ବସ୍ତା, ପୁରୁଣା କଟକ ସମିତିକୁ ୩୪୦ ବସ୍ତା, ସରସରା ସମିତିକୁ ୫୩୦ ବସ୍ତା ସାର ମିଳିଛି । ପ୍ରତି ସମିତିରେ ହଜାର ହଜାର ଚାଷୀ ସାର ପାଇଁ ସମିତିରେ ରୁଣ୍ଡ ହେଉଥିବାରୁ ସମିତି ସମ୍ପାଦକମାନେ ଚିନ୍ତାରେ ପଡିଛନ୍ତି କାହାକୁ କେମିତି ସାର ବାଣ୍ଟିବେ । ଅପରପକ୍ଷରେ ଚାଷୀ ମଧ୍ୟ ଚିନ୍ତାରେ ସାର ଅଭାବରେ କେମିତି ଚାଷ କରିବେ ।

hiranchal ad1
Leave A Reply

Your email address will not be published.

5 + one =