ଅଚଳ ହୋଇ ପଡିଛି ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ

0 292

ବୌଦ୍ଧ/ଜହ୍ନାପଙ୍କ,୮/୫- ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଜନଗହଳି ସ୍ଥାନ ଓ ମୁଖ୍ୟ ଛକ ନିକଟରେ ପଥଚାରୀଙ୍କ ସୁବିଧା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ପାଇଁ ଅନୁଦାନ ଯୋଗାଇ ଦେଉଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନ ଯୋଗୁଁ ଏହି ପ୍ରକଳ୍ପ ନିର୍ମାଣର କିଛିଦିନ ଚାଲିଲା ପରେ ଅକାମି ହୋଇ ପଡିଛି । ଏଭଳି ଦୃଶ୍ୟ ବୌଦ୍ଧ ବ୍ଳକ ବଢ଼ିଗାଁ ପଞ୍ଚାୟତ ଅନ୍ତର୍ଗତ ବଲାସିଙ୍ଗା ଛକରେ ଥିବା ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପକୁ ଦେଖିଲେ ସ୍ପଷ୍ଟ ଜଣାପଡେ । ସୂଚନାମତେ ୨୦୧୬-୧୭ ଆର୍ଥିକ ବର୍ଷରେ ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନରୁ ୨ ଲକ୍ଷ ୭୫ ହଜାର ବ୍ୟୟ ଅଟକଳରେ ପଥଚାରୀଙ୍କ ସୁବିଧା ପାଇଁ ଛକରେ ନିର୍ମାଣ କରାଯାଇଥିଲା ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ । ଏହାର ଲକ୍ଷ୍ୟ ଥିଲା ଏହି ଛକ ଉପରେ ନିର୍ଭର କରୁଥିବା ଓଲଣିଆ, ଗିର ।ସିଙ୍ଗା, ଖରମୁଣ୍ଡା, ଲୁଣ୍ଡାବେରେଣି ଆଦି ଗ୍ରାମର ଲୋକେ ବିଭିନ୍ନ କାର୍ଯ୍ୟପାଇଁ ଏହି ଛକରୁ ବସରେ ଯାଇଥାନ୍ତି । ବସକୁ ଅପେକ୍ଷା କରି ଶୋଷହେଲେ ଏହି ପାନୀୟ ଜଳ ପ୍ରକଳ୍ପରୁ ପାଣି ପିଇଥାନ୍ତି । କିନ୍ତୁ ଏହି ପ୍ରକଳ୍ପ କିଛି ଦିନ ଚାଲିବା ପରେ ଏହା ଅକାମି ହୋଇପଡିଛି । ବର୍ତ୍ତମାନ ଗ୍ରୀଷ୍ମ ଋତୁ ହୋଇ ଥିବାରୁ ପଞ୍ଚାୟତ ପକ୍ଷରୁ ମଧ୍ୟ ଏଠାରେ ଜଳଛତ୍ର ଖୋଲାଯାଇନଥିବାରୁ ଏହି ଛକ ଉପରେ ନିର୍ଭର କରୁଥିବା ଗ୍ରାମବାସୀ ପାଣି ମୁନ୍ଦିଏ ପାଇଁ ଡହକବିକଳ ହେଉଛନ୍ତି । ବୌଦ୍ଧ ବ୍ଳକ ସଦର ମହକୁମାଠାରୁ ୨ କିମି ଓ ୫୭ ନମ୍ବର ଜାତୀୟ ରାଜପଥ କଡରେ ଥିବା ପ୍ରକଳ୍ପର ଯଦି ଏ ଅବସ୍ଥା ତେବେ ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ଥଣ୍ଡା ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପର ଅବସ୍ଥା କିଏ ପଚାରେ । ତୁରନ୍ତ ଏହାର ମରାମତି ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

12 − six =