ଜିଲ୍ଲା ଷ୍ଟାଡିୟମ ପରିଦର୍ଶନ କରି ଅସନ୍ତୋଷ ପ୍ରକାଶ କଲେ ବୌଦ୍ଧ ବିଧାୟକ
ହଟିଲା କଂକ୍ରିଟ ହେଲିପ୍ୟାଡ, କ୍ରୀଡାପଯୋଗୀ ହେବ ଷ୍ଟାଡିୟମ

0 46

ବୌଦ୍ଧ,୨୨/୬:- ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ବୌଦ୍ଧ ଜିଲ୍ଲାର ଏକମାତ୍ର ଜିଲ୍ଲା ଷ୍ଟାଡିୟମ ପରିଦର୍ଶନରେ ଯାଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ୨୦ ବର୍ଷରୁ ଉର୍ଦ୍ଧ୍ୱ ହେଲା ଷ୍ଟାଡିୟମ ନିର୍ମାଣ ଚାଲିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କ୍ରୀଡାପଯୋଗୀ ହୋଇନଥିବାରୁ ବିଧାୟକ କ୍ଷୋଭ ପ୍ରକାଶ କରିବାସହ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହ ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ । ଷ୍ଟାଡିୟମର ଖେଳପଡିଆ ମଧ୍ୟଭାଗରେ ଥିବା ଏକ କଂକ୍ରିଟ ହେଲିପ୍ୟାଡକୁ ତୁରନ୍ତ ହଟାଇବାକୁ ବିଧାୟକ ପୂର୍ତ୍ତବିଭାଗ ଅଧିକାରୀମାନଙ୍କୁ ଜଣାଇବା ପରେ ତାହା ତୁରନ୍ତ ହଟାଯାଇଥିଲା । ସେହିପରି ଷ୍ଟାଡିୟମ ମଧ୍ୟରେ ଥିବା ପାଦଚଲା ରାସ୍ତାରେ ବୌଦ୍ଧ ଏନଏସି ଦ୍ୱାରା ବିଛାଯାଇଥିବା ପେବରବ୍ଲକ ଦବି ଯାଇଥିବାରୁ ଏହାର ମରାମତି ପାଇଁ ସେ ଏନଏସି ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଷ୍ଟାଡିୟମ ମଧ୍ୟରେ ଥିବା ଖେଳପଡିଆକୁ ସମତୁଲ କରିବାସହ ଖେଳପଯୋଗୀ କରିବାପାଇଁ ଏବଂ ଗ୍ୟାଲେରୀର ମରାମତି ପାଇଁ ଆବଶ୍ୟକ ପଦକ୍ଷେପ ନେବାପାଇଁ ପ୍ରଶାସନ ସହ ବୈଠକ ଜରିିଆରେ ସମାଧାନ କରାଯିବ ବୋଲି ବିଧାୟକ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବୌଦ୍ଧଜିଲ୍ଲାରେ କ୍ରୀଡାର ଉନ୍ନତି ପାଇଁ ଆବଶ୍ୟକ ସହଯୋଗ ମିଳିବ ବୋଲି ବିଧାୟକ କହିଥିଲେ । ଜିନ୍ଦଲ କଂପାନୀ ଦ୍ୱାରା ସନ୍ତରଣାଗାର ପରିଚାଳନା ନେଇ ସେ ସନ୍ତୋଷ ବ୍ୟକ୍ତ କରିବାସହ ଷ୍ଟାଡିୟମ ମଧ୍ୟରେ ଥିବା ଖେଳପଡିଆକୁ ଅବାଧ ଯାନବାହନ ଚଳାଚଳକୁ ପ୍ରତିରୋଧ କରିବାସହ କ୍ରୀଡା ବିଭାଗ ଏହି ଷ୍ଟାଡିୟମ ପ୍ରତି ଅଧିକ ଯତ୍ନବାନ ହେବାପାଇଁ ସେ ପରାମର୍ଶ ଦେଇଥିଲେ । ବିଧାୟକଙ୍କ ପରିଦର୍ଶନ ସମୟରେ ଖେଳାଳୀ, କ୍ରୀଡାବିତ୍‌, ଜିଲ୍ଲା କ୍ରିକେଟ ଆସୋସିଏସନର କର୍ମକର୍ତ୍ତା ତଥା ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

19 − 14 =