ବୌଦ୍ଧ,୧/୧୧:- ଆଜି ଡିଭିଏଫ ପୋଲିସ୍ କନେଷ୍ଟବଳ ହରିଶ ଚନ୍ଦ୍ର ସାହୁ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନା ଅନୁଯାୟୀ କନେଷ୍ଟବଳ ହରିଶ ଚନ୍ଦ୍ର ସାହୁ ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ପେଞ୍ଜାବଳି ଗ୍ରାମରୁ ଗଞ୍ଜେଇ ଚାଷକୁ ସୁରକ୍ଷା ଦେବା ପାଇଁ ଗ୍ରାମବାସୀଙ୍କ ଠାରୁ ୬ ଲକ୍ଷ ନଗଦ ଟଙ୍କା ନେଇ ଆସୁଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଛପି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରି ତାଙ୍କଠାରୁ ନଗଦ ୬ ଲକ୍ଷ ଟଙ୍କା ଜବତ କରିଛି । ଫୁଲବାଣୀ ଭିଜିଲାନ୍ସ ଡିଏସ ପି ହେମନ୍ତ କୁମାର ମହାନ୍ତି, ବୌଦ୍ଧ ଡିଏସପି ସୁରେଶ କୁମାର କହଁରଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଭିଜିଲାନ୍ସ ଟିମ କନେଷ୍ଟବଳଙ୍କୁ ଗିରଫ କରି ଫୁଲବାଣୀ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇ ସେଠାରେ କେଉଁଠାରୁ ଏବଂ କେଉଁ କାରଣରୁ ଏତେ ଟଙ୍କା କନେଷ୍ଟବଳ ଜଣକ ନେଇ ଆସୁଥିଲେ ସେ ନେଇ ତଦନ୍ତ ଜାରି ରଖିଛି । ପୂର୍ବରୁ ବିଭିନ୍ନ ଗ୍ରାମ ଗୁଡ଼ିକୁ ବୁଲିବା ସହିତ ସମସ୍ତ ଗ୍ରାମ ଗୁଡିକରେ ଗଞ୍ଜେଇ ଚାଷକୁ ସୁରକ୍ଷା ଦେବାପାଇଁ ବହୁ ଅର୍ଥ ଆଣୁଥିବା ନେଇ ଭିଜିଲାନ୍ସ ପାଖରେ ଖବର ରହିଥିଲା । ତେବେ ଆଜି ପୂର୍ବ ପ୍ରସ୍ତୁତି ଅନୁଯାୟୀ ତାଙ୍କୁ କାବୁ କରିଛି ଭିଜିଲାନ୍ସ । ଏହି କନେଷ୍ଟବଳ ଜଣକ ଏତେଦିନ ଧରି କାହା ଛତ୍ରଛାୟା ତଳେ ରହି ଏଭଳି କାରବାର କରୁଥିଲେ ତାହା ତଦନ୍ତସାପେକ୍ଷ ।