ବୌଦ୍ଧ ନିର୍ବାଚନ ମଣ୍ଡଳୀ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ

0 253

ବୌଦ୍ଧ,୨୧/୮- ବୌଦ୍ଧଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରସ୍ଥ ପଞ୍ଚାୟତ ଭବନଠାରେ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ଉନ୍ନୟନ କାର୍ଯ୍ୟକୁ ନେଇ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପ୍ରଦିପ କୁମାର ଅମାତ ବୈଠକରେ ଅଧ୍ୟକ୍ଷତା କରିବା ସହିତ କୋଭିଡ ମହାମାରୀ ସମୟରେ ସମସ୍ତ ଜରୁରୀ ସେବା ଜିଲ୍ଲାରେ ଠିକ୍‌ ଭାବରେ କାର୍ଯ୍ୟକାରୀ କରାଯାଇଥିବାରୁ ସମସ୍ତଙ୍କୁ ପ୍ରଶଂସା କରିଥିଲେ । ସମୀକ୍ଷା ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଉନ୍ନୟନ ସମ୍ବନ୍ଧୀୟ ତଥ୍ୟାବଳୀ ପାୱାର ପଏଣ୍ଟ୍‌ ମାଧ୍ୟମରେ ଉପସ୍ଥାପିତ କରାଯାଇଥିଲା । ତ୍ରୟୋଦଶ ଅର୍ଥ କମିଶନ ଅନୁଦାନରେ ମଂଜୁର ହୋଇଥିବା ୪ ଗୋଟି ଅଙ୍ଗନୱାଡି କେନ୍ଦ୍ର ଅସଂପୂର୍ଣ୍ଣ ଥିବାରୁ ସେଗୁଡିକୁ ତୁରନ୍ତ ସଂପୂର୍ଣ୍ଣ କରିବାକୁ ବିଧାୟକ ଶ୍ରୀ ଅମାତ ନିର୍ଦ୍ଦେଶ ଦେଇଥିଲେ । ବୌଦ୍ଧବ୍ଲକର ୨୩ ଗୋଟି ପଞ୍ଚାୟତ ମଧ୍ୟରୁ ୧୧ଗୋଟି ପଞ୍ଚାୟତ ଓ ହରଭଙ୍ଗା ବ୍ଲକର ୨୨ ଗୋଟି ପଞ୍ଚାୟତରେ ଗତବର୍ଷ ରାଜ୍ୟ ଅର୍ଥ କମିଶନ ଅନୁଦାନରୁ ବୌଦ୍ଧବ୍ଳକକୁ ୮୭ ଗୋଟି ଓ ହରଭଙ୍ଗା ବ୍ଲକକୁ ୧୮୭ ଗୋଟି ପ୍ରକଳ୍ପ ମଂଜୁର କରାଯାଇଥିବା ସୂଚନା ପ୍ରଦାନ କରାଯାଇଥିଲା । ଯାହାର ବ୍ୟୟ ଅଟକଳ ୪,୮୩,୦୬,୨୫୧ ଟଙ୍କା, ଯାହା ୫ ଗୋଟି ମୁଖ୍ୟ ଉନ୍ନୟନ କାର୍ଯ୍ୟକ୍ରମ ବାବଦରେ ବ୍ୟୟ କରାଯିବାକୁ ଉଦ୍ଦିଷ୍ଟ ରହିଛି । ଏଥିରେ ରାସ୍ତା ନିର୍ମାଣ, ପୋଲ ଏବଂ କଲଭର୍ଟ ନିର୍ମାଣ, ସ୍ଥାୟୀ ଗୋଷ୍ଠୀ ସଂପତ୍ତି ସୃଷ୍ଟି ଏବଂ ଏହାର ରକ୍ଷଣାବେକ୍ଷଣ ଅନ୍ତର୍ଭୁକ୍ତ । ଏହି ଅର୍ଥ ରାଶିକୁ ତୁରନ୍ତ ବିନିଯୋଗକରି ବିନିଯୋଗର ଶତକଡା ୫୦ ଭାଗ ପ୍ରମାଣପତ୍ର ସେପ୍‌ଟେମ୍ବର ମାସ ଶେଷସୁଦ୍ଧା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରତି ମାସରେ ସମୀକ୍ଷା ବୈଠକ କରି ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବାକୁ ଶ୍ରୀ ଅମାତ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ନିର୍ମାଣ ହୋଇଥିବା ଏସସି /ଏସଟି ଛାତ୍ରାବାସ ଗୁଡିକ ତୁରନ୍ତ ସଂପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ । ଏସ/ଏସଟି ବିଭାଗର କୋଠା ନିର୍ମାଣ ନିମନ୍ତେ ମିଳିଥିବା ୪୫.୪୦ ଲକ୍ଷ ଟଙ୍କା ଅନୁଦାନ ମଧ୍ୟରୁ ୧୦ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବୌଦ୍ଧ ଓ ହରଭଙ୍ଗା ବିଡିଓ ପ୍ରକାଶ କରିଥିଲେ । ଅବଶିଷ୍ଟ ରାଶିକୁ ବିନିଯୋଗ କରି ୫ ଗୋଟି କୋଠା ନିର୍ମାଣ ପାଇଁ ଶ୍ରୀ ଅମାତ ନିର୍ଦ୍ଦେଶ ଦେଇଥିଲେ । ଆମ ଗାଁ ଆମ ବିକାଶ ଯୋଜନାରେ ଚାଲୁଥିବା ୫୪ ଗୋଟି ପ୍ରକଳ୍ପକୁ ୫୨ ଲକ୍ଷ ୬୮ ହଜାର ବ୍ୟୟରେ ଶୀଘ୍ର୍ର ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବାବୁ ଜଗଜୀବନରାମ ଛାତ୍ରାବାସ ନିର୍ମାଣ ବାବଦରେ ମିଳିଥିବା ୩ କୋଟି ଅର୍ଥରାଶିରେ ପ୍ରକଳ୍ପ କାର୍ଯ୍ୟ ଚାଲୁରହିଥିବା ସୂଚନା ପ୍ରଦାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ୨୬ ଗୋଟି କାର୍ଯ୍ୟ ଚାଲୁ ରହିଥିବାବେଳେ ଗୋଟିଏ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ପଞ୍ଚଦଶ ଅର୍ଥ କମିଶନ ଅନୁଦାନରେ ପାନୀୟଜଳ ପରିମଳ ଓ ରାସ୍ତାଘାଟ ନିର୍ମାଣ ,ଗୋଷ୍ଠୀ ସଂପଦ ସୃଷ୍ଟି ପାଇଁ ଜିଲ୍ଲାକୁ ମିଳିଥିବା ୨୨୯.୨୦ ଲକ୍ଷ (ବ୍ଲକ),୧୦୭.୭ ଲକ୍ଷ (ଜିଲାପ୍ରଶାସନ) ଅନୁଦାନରୁ ପ୍ରକଳ୍ପ ଖସଡା ଅନୁମୋଦନ ଏବଂ ଏହିକାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମିଶନ ଶକ୍ତି ଗୃହ ପ୍ରତ୍ୟେକ ପଞ୍ଚାୟତ ଏବଂ ବ୍ଲକ ସ୍ତରରେ ନିର୍ମାଣ ପାଇଁ ୧୦୦ ଲକ୍ଷ ଅନୁଦାନ ମଧ୍ୟରୁ ୯ ଗୋଟି ଗୃହ ବୌଦ୍ଧ ଓ ହରଭଙ୍ଗା ବ୍ଲକରେ ସଂପୂର୍ଣ୍ଣ କରାଯାଇ ୬୫ ଲକ୍ଷ ଅନୁଦାନ ଖର୍ଚ୍ଚ କରାଯାଇ ବଳକା ୩୫ ଲକ୍ଷ ବିନିଯୋଗରେ ୧୧ ଟି ଗୃହର କାର୍ଯ୍ୟ ଚାଲୁରହିଥିବା ଜଣାଯାଇଛି । ନିର୍ବାହୀ ଅଧିକାରୀ ବୌଦ୍ଧ ଏନଏସି ସହରାଞ୍ଚଳରେ ଆଦର୍ଶ ଶବଦାହ ଗୃହ, ସ୍ମାର୍ଟ ପାର୍କ, ଜରିଖଣ୍ଡିର ପୁନରୁଦ୍ଧାର, ନୂତନ ବସଷ୍ଟାଣ୍ଡ ନିର୍ମାଣ, ଜିଲ୍ଲାସ୍ତରୀୟ ପ୍ରେକ୍ଷାଳୟ୍ର ନିର୍ମାଣ, ନୂତନ ପ୍ରଣିତ ମୁକ୍ତା ଯୋଜନାରେ ମହାମାରୀ ପରବର୍ତ୍ତି ମୁଖ୍ୟମନ୍ତ୍ରୀଙ୍କ ଯୋଜନା ଚାଲୁ ରହିଥିବା ସୂଚନା ଦେଇଥିଲେ । ଏହାସହିତ କଚେରୀ ପଡିଆ, ଶ୍ରୀଜଗନ୍ନାଥ ମନ୍ଦିର, ଷ୍ଟାଡିୟମ ଆଦି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବୈଠକରେ ସୂଚନା ଦିଆଯାଇଥିଲା । ବୈଠକରେ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପୂର୍ତ୍ତ ବିଭାଗ, କୃଷି ବିଭାଗ, ଉଦ୍ୟାନ ବିଭାଗ,ଜଳଛାୟା ପ୍ରକଳ୍ପ, ଜଙ୍ଗଲ ବିଭାଗ, ଉଠାଜଳସେଚନ ବିଭାଗ, କ୍ଷୁଦ୍ର ଏବଂ ବୃହତ୍ତ ଜଳସେଚନ ବିଭାଗ, ଜିଲ୍ଲା ଯୋଗାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରାଯାଇଥିଲା । ପାୱାର ପଏ୍‌ଣ୍ଟ ଜରିଆରେ ଜିଲ୍ଲା ସାମାଜିକ ସମୀକ୍ଷକ ପ୍ରବୀର ମେହେର ଏବଂ ଜିଲ୍ଲା ପ୍ରକଳ୍ପ ପରିଚାଳକ ବିକ୍ରମ କୁମାର ସିଂହ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର, ହରଭଙ୍ଗା ବ୍ଳକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ବୌଦ୍ଧ ବ୍ଲକ ଅଧ୍ୟକ୍ଷା ରେବତୀ ମହାଲିକ, ବୌଦ୍ଧ ଓ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ସମସ୍ତ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିବାବେଳେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକା ବବିତାରାଣୀ ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

twenty − 9 =