ରେଳପଥ ନିର୍ମାଣ କାର୍ଯ୍ୟ ଯୋଗୁଁ ବହୁ ପୋଖରୀର ହୋଇଯାଉଛି ପଙ୍କୋଦ୍ଧାର

0 2,364

ବୌଦ୍ଧ/ବାଉଁଶୁଣୀ,୧/୬ – ବୌଦ୍ଧ ଜିଲ୍ଲାରେ ଚାଲିଥିବା ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟରେ ବ୍ୟାପକ ମାଟିର ଆବଶ୍ୟକତା ରହିଛି । ସେଥିପାଇଁ ଜିଲ୍ଲାର ବୌଦ୍ଧବ୍ଲକ୍‌ ଅଂଚଳରେ ଥିବା ବିଭିନ୍ନ ପୋଖରୀର ମାଟି ନେଇ ଠିକାଦାର ରେଳପଥ ନିର୍ମାଣ କାମ କରୁଛନ୍ତି । ଫଳରେ ଦିନକୁଦିନ ପୋତି ହୋଇ ଜଳଧାରଣ କ୍ଷମତା ହରାଇଥିବା ପୋଖରୀ ଗୁଡିକର ପଙ୍କୋଦ୍ଧାର ଓ ଉନ୍ନତିକରଣ ହୋଇଯାଉଥିବା ଦେଖିବାକୁ ମିଳୁଛି । ବୌଦ୍ଧବ୍ଲକ୍‌ ଗୋଛାପଡା ଗ୍ରାମ ପଞ୍ଚାୟତ ବରାହପଥର ଗ୍ରାମରେ ଥିବା ଗୋଟିଏ ପୋଖରୀ ଦିନକୁ ଦିନଦିନ ପୋତି ହେବାରେ ଲାଗିଥିଲା । ପୋଖରୀ ନିକଟ ଦେଇ ରେଳପଥ ନିର୍ମାଣ ଚାଲିଥିବାରୁ ଠିକା ସଂସ୍ଥା ସେଠାରୁ ମାଟି ନେଇଥିଲା । ବର୍ତ୍ତମାନ ପୋଖରୀର ଜଳ ଧାରଣ କ୍ଷମତା ବୃଦ୍ଧି ପାଇବ । କେବଳ ବରାହ ପଥର ନୁହେଁ ବୌଦ୍ଧବ୍ଲକ୍‌ ଅନ୍ତର୍ଗତ ବିଭିନ୍ନ ଗ୍ରାମର ପୋଖରୀର ମାଟି ନେଇ ରେଳପଥ ନିର୍ମାଣ ହେଉଥିବା ଯୋଗୁଁ ଅନେକ ପୋଖରୀର ପୁନଃଉଦ୍ଧାର କାର୍ଯ୍ୟ ସ୍ୱତଃପବୃତ୍ତି ଭାବରେ ହୋଇଯାଉଛି । ଅପର ପକ୍ଷରେ କେତେକ ଅସାଧୁ କୁଜି ଠିକାଦାର ସେହି କାମକୁ ଦେଖାଇ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମଧ୍ୟ ବିଲ୍‌ କରାଇ ସରକାରୀ ଅନୁଦାନ ହଡପ କରିବାର ମସୁଧା କରୁଥିବା ଅଭିଯୋଗ ହେଉଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍କାର ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଡିଓ ଏ ଦିଗରେ ଯତ୍ନବାନ ନ ହେଲେ ରେଳ ଠିକାଦାର ଖନନ କରିଥିବା ପୋଖରୀକୁ ଦେଖାଇ ସରକାରୀ ଯୋଜନାର କାମ ଦେଖାଇ ବିଲ୍‌ କରିଦେବାର ସମ୍ଭାବନା ରହିଛି ବୋଲି ଜନସାଧାରଣରେ ଆଶଙ୍କା ପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

three × four =