ପାଲଝାର୍‌ ଫାର୍ମ, ଆଶ୍ୱିନ ମାସରେ ଚାଲିଛି ପଲ୍‌ହା ମରା କାମ

0 996

ବୌଦ୍ଧ,୧୫/୯ –ବୌଦ୍ଧବ୍ଲକ୍‌ ବଘିଆପଡା ନିକଟରେ ଥିବା କୃଷି ବିଭାଗର ପାଲଝାର୍‌ ଫାର୍ମ କିଛି ବର୍ଷ ହେଲା ସବୁବେଳେ ଚର୍ଚ୍ଚାରେ । ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କ ଦୁର୍ନୀତି ହେଉ କି ଫାର୍ମ ପରିଚାଳନାରେ ଅବହେଳା ହେଉ ସବୁ ବେଳେ ଆଲୋଚନାର ଖୋରାକ୍‌ ଯୋଗାଇ ଆସୁଛି ଏ ସରକାରୀ ଫାର୍ମ । ଚଳିତବର୍ଷ ଆଶ୍ୱିନମାସ ଅଧା ଚାଲିଯିବା ପରେ ମଧ୍ୟ ଧାନ ରୁଆ କାମ ସରିପାରିନାହିଁ । ବର୍ତ୍ତମାନ ତଳି ମରା କାମ ଚାଲିଛି । କେବେ ରୁଆ ହେବ ଓ କେତେ ଅମଳ ହେବ ତାହା ଫାର୍ମ ଅଧିକ୍ଷକ କିମ୍ବା ସହକାରୀ କୃଷି ଅଧିକାରୀ ଜାଣିଥିବେ ବୋଲି ଜନସାଧାରଣରେ ଆଲୋଚନା ହେଉଛି । କର୍ମଚାରୀ ଓ ଅଧିକାରୀ ମାନଙ୍କ ଦ୍ୱାରା ହେଉଥିବା ଦୁର୍ନୀତି ଓ କର୍ତ୍ତ୍ୟବରେ ଅବହେଳା ଯୋଗୁଁ ଫାର୍ମର ଆୟ ମଧ୍ୟ ଦିନକୁଦିନ କମିକମି ଯାଉଛି । ଘୋଡା ଛଅ ଟଙ୍କାକୁ ଦାନା ନଅ ଟଂକା ଭଳି ଅବସ୍ଥା ହୋଇଯାଉଛି । ଗତବର୍ଷ ଉତ୍ପାଦିତ ହୋଇଥିବା ୨୦୦ କ୍ୱିଣ୍ଟାଲ ଧାନ ମଧ୍ୟରୁ ବଘିଆପଡା ପେକ୍ସ ମାଧ୍ୟମରେ ୧୬୦ କ୍ୱିଣ୍ଟାଲ ଧାନ ବିକ୍ରି ଖାତାକୁ ଆସିଥିବାବେଳେ ବାକି ୪୦ କ୍ୱିଣ୍ଟାଲ ଧାନର ପ୍ରାୟ ୭୦ ହଜାର ଟଙ୍କା ହଡପ ହୋଇଥିବା ଅଭିଯୋଗ ହେଉଛି । ସେହିଭଳି ସରକାରୀ ମାର୍ଗଦର୍ଶିକା ବାହାରେ ଅଧିକ ଖର୍ଚ୍ଚ ଦେଖାଇ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା କରାଯାଉଥିବା ଅଭିଯୋଗ ହୋଇଆସୁଛି । ଏ ଦିଗରେ ବିଭାଗୀୟ ଅଧିକାରୀମାନେ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

six − two =