ବୌଦ୍ଧ,୧୭/୩- ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ପାଶ୍ୱର୍ରେ ଥିବା ସାହାଜପାଲ ସ୍ଥାନୀୟ ଅଂଚଳର ଏକ ପ୍ରମୁଖ ବାଣିଜ୍ୟିକ ସ୍ଥଳ । ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଅନେକ ଦୋକାନ ବଜାର ରହିଛି । ଜାତୀୟ ରାଜପଥ ବିଭାଗ ରାସ୍ତା ନିର୍ମାଣ ସମୟରେ ଉଭୟ ପାର୍ଶ୍ୱରେ ଡ୍ରେନ ମଧ୍ୟ ନିର୍ମାଣ କରିଥିଲେ । ଦୀର୍ଘବର୍ଷ ବିତିଯାଇଥିଲେ ସୁଦ୍ଧା ଡ୍ରେନଗୁଡିକ ମୁକୁଳା ହୋଇ ପଡି ରହିଥିବା ଦେଖିବାକୁ ମିଳୁଛି । ଡ୍ରେନ ଉପରେ ପ୍ଲେଟ୍ ପଡିନଥିବା ହେତୁ ବଜାରର ଅଳିଆ ଆବର୍ଜନା ଲୋକେ ଡ୍ରେନ ଭିତରେ ପକାଇ ପୋତି ସାରିଲେଣି । ଡ୍ରେନ ମଧ୍ୟ ନା ଜାତୀୟ ରାଜପଥ ବିଭାଗ ନା ଗ୍ରାମ ପଞ୍ଚାୟତ କେହି ସଫା କରୁନଥିବା ଦେଖିବାକୁ ମିଳୁଛି । ବର୍ଷା ହେଲେ ଡ୍ରେନରେ ଜଳ ନିଷ୍କାସନ ନହୋଇପାରି ରାସ୍ତା ଉପରେ ଜମି ରହିବା ସହ ଦୋକାନ ଘର ଭିତରେ ପଶୁଥିବାରୁ ବ୍ୟବସାୟୀମାନେ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି । ତେଣୁ ସାହାଜପାଲ୍ ବଜାରର ଉଭୟ ପାର୍ଶ୍ୱରେ ଥିବା ଡ୍ରେନକୁ ସଫା କରାଇ ତା ଉପରେ ଢାଙ୍କୁଣି ଦେବାକୁ ଜନସାଧାରଣରେ ଦାବୀ ହେଉଛି ।