ବୌଦ୍ଧ,୧୩/୧୧- ଗତ ୧୧ ତାରିଖ ଠାରୁ ବୌଦ୍ଧରେ ଆରମ୍ଭ ହୋଇଥିବା ୬୯ ତମ ରାଜ୍ୟ ମହିଳା ଭଲିବଲ ଚଂପିଆନସିପ ଆଜି ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦ୍ୁ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର, ଓଡିଶା ଭଲିବଲ ସଂଘର କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ଦାସ, ଉପସଭାପତି ସୟଦ ଅକମଲ ଅଲ୍ଲୀ ଏବଂ ଜିଲ୍ଲା କ୍ରୀଡାସଂଘର ସଂପାଦକ ରବୀନ୍ଦ୍ର କୁମାର ରାଉତ ଯୋଗଦେଇଥିଲେ ।
ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଫାଇନାଲ ମ୍ୟାଚ କିଟ୍ ୟୁନିଭରସିଟି ଏବଂ ଇଷ୍ଟକୋଷ୍ଟ ରେଲୱେ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ଇଷ୍ଟକୋଷ୍ଟ ରେଲୱେ ୨-୦ରେ କିଟ୍ ୟୁନିଭରସିଟିକୁ ହରାଇ ଚଂପିଆନ ହୋଇଛି । ସେହିପରି ତୃତୀୟ ସ୍ଥାନ ପାଇଁ କଟକ ଏବଂ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ କଟକ ୨-୧ରେ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟକୁ ହରାଇ ତୃତୀୟସ୍ଥାନ ଅଧିକାର କରିଛି ।
ଆଜିର ଉଦ୍ଯାପନୀ ଉତ୍ସବରେ ବିଜେତା ଇଷ୍ଟକୋଷ୍ଟ ରେଲୱେ ଦଳକୁ ଟ୍ରଫିସହ ୧୮ହଜାର ଟଙ୍କା ଓ ଉପ-ବିଜେତା ଦଳ କିଟ୍ ୟୁନିଭରସିଟିକୁ ଟ୍ରଫିସହ ୧୨ହଜାର ଟଙ୍କାର ଚେକ୍ ଅତିଥିମାନେ ପ୍ରଦାନ କରିଥିଲେ । ସେହିପରି ତୃତୀୟ ସ୍ଥାନ ଅଧିକାର କରିଥିବା କଟକ ଦଳକୁ ଟ୍ରଫି ସହ ୮ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା ।