ବୌଦ୍ଧ,୧୬/୧୧- ଆଜି ବୌଦ୍ଧଜିଲ୍ଲା ଇପିଏଫ ପେନସନଧାରୀ ସଂଘର ୪ଦଫା ଦାବିନେଇ ଏକ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ ମାଉସୀମା’ ମନ୍ଦିର ଠାରୁ ସଂଘର ଶତାଧିକ ସଦସ୍ୟ ଏକ ଶୋଭାଯାତ୍ରାରେ ବାହାରି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ସର୍ବନିମ୍ନ ପେନସନ ୯ହଜାର ଟଙ୍କାକୁ ବୃଦ୍ଧିକରିବା, ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବର୍ଦ୍ଧିତ ପେନସନ ପ୍ରଦାନ, ସମସ୍ତ ଇପିଏଫ ପେନସନଧାରୀ ରୋଗୀମାନଙ୍କୁ ଚିକିତ୍ସା ଭତ୍ତା କିମ୍ବା ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରି ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରିବା ଏବଂ ସମସ୍ତ ଇପିଏଫ ପେନସନଧାରୀ ବରିଷ୍ଠ ନାଗରିକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ଭଳି ୪ ଦଫା ଦାବିରେ ସଂଘ ତରଫରୁ ଆଜି ଏହି ବିକ୍ଷୋଭ ଶୋଭାଯାତ୍ରା କାର୍ଯ୍ୟକ୍ରମ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ଜିଲ୍ଲା ପ୍ରଶାସନ ଜରିଆରେ ଦିଆଯାଇଥିଲା । ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସଂଘର ସଭାପତି ତ୍ରିପୁରାରୀ ବେହେରା ଏବଂ ସଂପାଦକ ଦିଲ୍ଲିପ କୁମାର ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ଇପିଏଫ ପେନସନଧାରୀ ବରିଷ୍ଠ ନାଗରିକମାନେ ସାମିଲ ହୋଇଥିଲେ ।