ବୌଦ୍ଧ: ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ

0 170

ବୌଦ୍ଧ,୨୯ା୧୧ – ଜିଲ୍ଲା ପଞ୍ଚାୟତ ଭବନ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଣ୍ଟାମାଳ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ମହୀଧର ରଣା, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ସାଂସଦ ପ୍ରତିନିଧି ତାରେଣୀ ମହାପାତ୍ର, ବୌଦ୍ଧ ବିଧାୟକଙ୍କ ପ୍ରତିନିଧି ଅଶୋକ କୁମାର ସାହୁ, ଜିଲ୍ଲାପରିଷଦ ଓ ପଞ୍ଚାୟତସମିତିର ସମସ୍ତ ସଭ୍ୟ ସଭ୍ୟା, ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ମିଶ୍ର ଜିଲ୍ଲାପରିଷଦର ସଭ୍ୟ ସଭ୍ୟାମାନଙ୍କ ଅକୁଣ୍ଠ ସହଯୋଗ ଯୋଗୁଁ ଜିଲ୍ଲାରେ ଉନ୍ନୟନ ମୂଳକ କାର୍ଯ୍ୟଗୁଡିକ ଠିକ୍‌ ଭାବରେ ସମ୍ପାଦନ ହୋଇପାରିଥିବାରୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିସହିତ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହଯୋଗ ପାଇଁ ମଧ୍ୟ ଧନ୍ୟବାଦ ଦେଇଥିଲେ । ତଥାପି ଜିଲ୍ଲାରେ ଆହୁରି ଅନେକ କାର୍ଯ୍ୟ ଅପୂରଣୀୟ ରହିଥିବାବେଳେ ସେଗୁଡିକ ସମ୍ପାଦନ ଦିଗରେ ସମସ୍ତେ ତତ୍ପରତାର ସହିତ ସହଯୋଗ କରିବେ ବୋଲି ଆଶାବ୍ୟକ୍ତ କରିଥିଲେ । ପରେ ପରେ ପ୍ରତ୍ୟେକ ବିଭାଗର କାର୍ଯ୍ୟ ନେଇ ବୈଠକରେ ସମୀକ୍ଷା କରାଯାଇଥିଲା । ରାଜ୍ୟର ୨୦ ଗୋଟି ବ୍ଳକ ମଧ୍ୟରୁ ଜିଲାର ହରଭଙ୍ଗା ବ୍ଲକ ମରୁଡି ଦ୍ୱାରା ଚାଷ ପ୍ରଭାବିତ ହୋଇଥିବା ନେଇ ଜିଲା କୃଷି ଅଧିକାରୀ ଗୃହକୁ ସୂଚନା ଦେଇଥିଲେ । ବୃହତ ପାନୀୟଜଳ ଯୋଗାଣ ପ୍ରକଳ୍ପ ଦ୍ୱାରା ଦିଗୁନମାଲ, କୁଞ୍ଜେରମାଲ ଓ ରାବଣାଗୁଡା ଅଞ୍ଚଳକୁ ପାନୀୟଜଳ ଶୀଘ୍ର ପ୍ରଦାନ କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ରାଶି ୨୦୨୦-୨୧ ର ଖର୍ଚ୍ଚ ନହୋଇ ପଡିରହିଥିବା ସମୀକ୍ଷା ପରେ ଜଣାପଡିଥିଲା । ଏହାକୁ ନେଇ ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ । ତେବେ ଉପଯୋଗୀ ପ୍ରକଳ୍ପ ଚିଠା ତୁରନ୍ତ ପ୍ରଦାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ମନରେଗା ଯୋଜନାରେ ହେଉଥିବା ଗ୍ରାମାଞ୍ଚଳ ପାର୍କ ଗୁଡିକର ପାଚେରୀ ନିର୍ମାଣ, ଜମି ଉନ୍ନତିକରଣ, ଛେଳି ମେଣ୍ଢା ଗୁହାଳ କେନ୍ଦ୍ର ସରକାରଙ୍କ ଅନୁଦାନ ରାଶି ପ୍ରାପ୍ତ ପରେ କାର୍ଯ୍ୟକ୍ଷମ ହେବ ବୋଲି ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୂଚନା ଦେଇଥିଲେ । ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ହିତାଧିକାରୀଙ୍କ ପୁନଃ ମୂଲ୍ୟାଙ୍କନ ପାଇଁ ପଠାଯାଇଛି ତାହା ଅନୁମୋଦନ ପରେ କାର୍ଯ୍ୟାରମ୍ଭ କରାଯିବ ବୋଲି ସୂଚନା ଦିଆଯାଇଥିଲା । ବୈଠକର ସଫଳତା ନେଇ ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର ଧନ୍ୟବାଦ ପ୍ରଦାନ କରିଥିଲେ । ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

4 + seven =