ବୌଦ୍ଧ,୨୮/୧୦- କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାରେ ସଂପୃକ୍ତ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର, ଗିରଫ ଓ ସିବିଆଇ ତଦନ୍ତ ଦାବିରେ ଆଜି ବୌଦ୍ଧଜିଲ୍ଲା ବିଜେପି ତରଫରୁ ଏସ୍. ପି. ଅଫିସ ଘେରାଉ କରାଯାଇଥିଲା । ସ୍ଥାନୀୟ ରାମଲୀଳା ପଡିଆ ଠାରୁ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ସହର ପରିକ୍ରମା କରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ବିଜେପି କର୍ମୀମାନେ ସେଠାରେ ବିଭିନ୍ନ ନାରାବାଜି କରି ଅଫିସ ଘେରାଉ କରିବା ସହ ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୋଲିସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ସାମାନ୍ୟ ଧସ୍ତାଧସ୍ତି ମଧ୍ୟ ହୋଇଥିଲା ।
ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ତରଫରୁ ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା ମଧ୍ୟ ସାମିଲ ହୋଇ ମମିତାଙ୍କ ପରିବାରକୁ ନ୍ୟାୟ ଦେବା ସହିତ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଗିରଫ ଓ ସମସ୍ତ ଦୋଷୀଙ୍କୁ ଦଣ୍ଡବିଧାନ ପାଇଁ ଦାବି କରିଥିଲେ । ବିଜେପିର ଏକ ପ୍ରତିନିଧି ଦଳ ଆରକ୍ଷୀ ଅଧୀକ୍ଷକ ଜ୍ଞାନ ରଞ୍ଜନ ମହାନ୍ତିଙ୍କୁ ପ୍ରଦାନ କରିଥିଲେ । ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି, ପୂର୍ବତନ ସାଂସଦ ଐରଖାରବେଳ ସ୍ୱାଇଁ, ବରିଷ୍ଠ ବିଜେପିନେତା ସୁଶାନ୍ତ ପ୍ରଧାନ, ପୂର୍ବତନ ଜିଲ୍ଲା ସଭାପତି ମନରଞ୍ଜନ ଦାଶ, ମହିଳା ସଭାନେତ୍ରୀ ମୀନାରାଣୀ ମିଶ୍ର, ନମିତା ରାଣୀ ଦାଶ, ଯୁବମୋର୍ଚ୍ଚା ସଭାପତି ଅଟଳ କୁମାର ପ୍ରଧାନ, ସୁଶାନ୍ତ ବାଘଙ୍କ ସମେତ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ ।