ବୌଦ୍ଧ,୩୦/୧୦ :- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ବିଶ୍ୱ ମିତବ୍ୟୟିତା ଦିବସ ଅବସରରେ ସଞ୍ଚୟ ରଥର ଶୁଭାରମ୍ଭ ହୋଇଯାଇଛି । ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଏହି ରଥର ଶୁଭ ଉଦଘାଟନ କରିଥିଲେ । ଅଯଥା ଖର୍ଚ୍ଚ ଠାରୁ ଦୂରେଇ ରହି ସଞ୍ଚୟ କରିବାକୁ ଅର୍ଥ ଲଗାଣ ସଂସ୍ଥାଠାରୁ ଦୂରେଇ ରହି ଡାକଘର ଓ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରେ ସଞ୍ଚୟ କରିବା ଲକ୍ଷ୍ୟ ନେଇ ଏହି ରଥ ସଚେତନତା ବାର୍ତ୍ତା ପ୍ରଦାନ କରିବାସହ ବିଭିନ୍ନ ଗ୍ରାମକୁ ଯାଇ ପ୍ରଚାର ପ୍ରସାର କରିବ । ସମ୍ମାନିତ ଅତିଥି ଭାବେ ବୌଦ୍ଧ ଏନଏସି ନିର୍ବାହୀ ଅଧିକାରୀ ଇଂ ମନରଞ୍ଜନ ପଣ୍ଡା ଯୋଗ ଦେଇ ସଞ୍ଚୟ କରିବା ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସ୍ୱଳ୍ପ ସଞ୍ଚୟ ଅଧିକାରୀ ତଥା ସହକାରୀ ଜିଲ୍ଲାପାଳ ବିରଞ୍ଚି ଧରୁଆ ସମସ୍ତଙ୍କୁ ସ୍ୱାଗତ କରିବାସହ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଆସନ୍ତାକାଲିଠାରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ମିତବ୍ୟୟୀ ପକ୍ଷ ପାଳନ କରାଯିବ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ସୂଚନା ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।