ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ବୌଦ୍ଧ ଗସ୍ତ, ଲୋକଙ୍କୁ ସେବା ଯୋଗାଇବାକୁ ତ୍ୱରିତ ନ୍ୟାୟ ବ୍ୟବସ୍ଥାକୁ ଗୁରୁତ୍ୱ

0 575

ବୌଦ୍ଧ,୯ା୧୦ : ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟବିଚାରପତି ଡଃ. ଏସ.ମୁରଲିଧର ଆଜି ଦିନିକିଆ ବୌଦ୍ଧଜିଲ୍ଲା ଗସ୍ତ କରିଛନ୍ତି । ମୁଖ୍ୟବିଚାରପତି ଅପରାହ୍ନରେ ବୌଦ୍ଧରେ ପହଞ୍ଚି ପ୍ରଥମେ ଜିଲ୍ଲାକୋର୍ଟ ବୁଲିଦେଖିବା ସହ ଜିଲ୍ଲାକୋର୍ଟର ବିଚାରପତିମାନଙ୍କ ସହ ଆଲୋଚନା କରିଥିଲେ । ପରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଜିଲା ସଂଗ୍ରହାଳୟ ପରିସରରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ଆରମ୍ଭ ପୂର୍ବରୁ ଜିଲ୍ଲାର ରାଜୁଡା ଅମଳରେ ନିର୍ମିତ ଶତାୟୁ କୋଠା ତଥା ବର୍ତ୍ତମାନର ଜିଲା ସଂଗ୍ରହାଳୟକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୁଲାଇ ଦେଖାଇଥିଲୋ । ପରେ ଜିଲା ଓକିଲ ପକ୍ଷରୁ ଐତିହାସିକ ସଂଗ୍ରହାଳୟ ପରିସରରେ ଆୟୋଜିତ ବୈଠକରେ ଯୋଗଦେଇଥିଲେ । ଜିଲ୍ଲା ଓକିଲ ସଂଘର ସଭାପତି ତାରେଣୀ କୁମାର ମହାପାତ୍ରଙ୍କ ଅଧକ୍ଷତାରେ ଓ ବରିଷ୍ଠ ଆଇନଜୀବୀ ନବ କୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ମାନ୍ୟବର ମୁଖ୍ୟ ବିଚାରପତି ଡଃ. ଏସ.ମୁରଲିଧର ନିଜ ଅଭିଭାଷଣରେ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ଯୋଗାଇବା ଉଭୟ ଅଦାଲତ ଓ ଓକିଲଙ୍କ ନୈତିକ ଦାୟିତ୍ୱ ବୋଲି କହିବା ସହିତ କରୋନା ଆଳରେ ଅଦାଲତ କାର୍ଯ୍ୟକୁ ବ୍ୟାଘତ ନକରିବା ପାଇଁ ଅନୁରୋଧ କରିଥିଲେ । ଏହାସହ କେବଳ ଜାମିନ, ମିଳାମିଶା ମାମଲା, କିମ୍ବା ଜେଲରେ ଥିବା ଅଭିଯୁକ୍ତଙ୍କ ମାମଲା ନକରି ସମସ୍ତ ପ୍ରକାର ମାମଲା କରିବାକୁ ପରାମର୍ଶ ଦେଇଥିଲେ । କୋର୍ଟରେ କଣ୍ଟେଷ୍ଟ ମାମଲା ପରିଚାଳନା କଲେ ଉଭୟ ଓକିଲ ଓ ବିଚାରପତିମାନଙ୍କ ଗୁରୁତ୍ୱ ତଥା ଗୂଣାତ୍ମକମାନ ବଢିବ ବୋଲି କହିଥିଲେ । ମୁଖ୍ୟ ବିଚାରପତିଙ୍କ ଅନୁରୋଧକୁ ସମ୍ମାନ ଜଣାଇ ଦଶହରା ପୂଜା ଛୁଟି ପରେ ନିୟମିତ ଅଦାଲତ କାର୍ଯ୍ୟ କରିବାକୁ ଓକିଲମାନଙ୍କ ତରଫରୁ ପ୍ରତିଶୃତି ଦିଆଯାଇଥିଲା । ଏହି ଅବସରରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ବୌଦ୍ଧରେ ଜିଲ୍ଲା ଫେମିଲି କୋର୍ଟ, ସ୍ୱତନ୍ତ୍ର ଭିଜିଲାନସ କୋର୍ଟ ଓ ସ୍ଥାୟୀ ଲୋକଅଦାଲତ ସ୍ଥାପନ ପାଇଁ ମୁଖ୍ୟବିଚାରପତିଙ୍କ ନିକଟରେ ଦାବି କରାଯାଇଥିଲା । ଜିଲାର ଓକିଲଙ୍କ ଦାବୀ ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ମୁଖ୍ୟ ବିଚାରପତି କହିଥିଲେ । ଜିଲା ସଂଗ୍ରହାଳୟ ବୁଲି ଦେଖିବାପରେ ରେକର୍ଡ ବୁକ୍‌ରେ ନିଜର ମନ୍ତବ୍ୟ ଲେଖିବା ସହିତ ବୌଦ୍ଧର ଐତିହାସିକ ସଂଗ୍ରହାଳୟ ସ୍ଥାପନା ପାଇଁ ଜିଲା ପ୍ରଶାସନର ଉଦ୍ୟମକୁ ଖୁବ୍‌ ପ୍ରଶଂସା କରିଥିଲେ । ଏହି ଅବସରରେ ଜିଲା ଓକିଲ ସଂଘର ସଂପାଦକ ଅଶୋକ କୁମାର ମଞ୍ଚାସୀନ ଥିବା ସହ ସଂଘର ଉପସଭାପତି ଆଶୋକ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ମୁଖ୍ୟ ବିଚାରପତିଙ୍କ ଏହି ଗସ୍ତ ସମୟରେ ଜିଲ୍ଲା ଦୌରାଜଜ୍‌ ସୁଶ୍ରୀ ପ୍ରତିମା ପଣ୍ଡା, ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ସତ୍ୟନାରାୟଣ ଷଢଙ୍ଗୀ, ସିଜେଏମ ହୃଷିକେଶ ଆଚାର୍ଯ୍ୟ, ଜିଲ୍ଲା ଅଦାଲତର ସମସ୍ତ ବିଚାରପତି , ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି, ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସମେତ ଜିଲ୍ଲା ଓକିଲ ସଂଘର ସମସ୍ତ ଆଇନଜୀବୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

twelve − eight =