ବୌଦ୍ଧ,୧୯/୮- ଜାତୀୟ ପତାକାକୁ ଅସମ୍ମାନ ପ୍ରଦର୍ଶନ ଓ କର୍ତ୍ତବ୍ୟରେ ଅବହେଳା କରିଥିବାରୁ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ ହୋଇଥିବା ଜଣାପଡିଛି । ଏଭଳି ଏକ ଘଟଣା ଘଟିଛି ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ପଂଚାୟତ ନୂର୍ପା ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ସ୍ୱାଧୀନତା ଦିବସ ଦିନ ଏହି ବିଦ୍ୟାଳୟରେ ପତାକା ଉତ୍ତୋଳନ ହୋଇଥିଲା ଓ ଅପରାହ୍ନ ୫ଟା ସୁଦ୍ଧା ତାହାକୁ ସସମ୍ମାନେ ଅବତରଣ କରିବା କଥା । କିନ୍ତୁ ୧୬ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ତାହା ଅବତରଣ କରାଯାଇ ନ ଥିଲା । ଯାହାକି ଜାତୀୟ ପତାକା ପ୍ରତି ଘୋର ଅସମ୍ମାନ ଅଟେ । ଏହାର ଫୋଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହପ୍ରଭା ମହାପାତ୍ର ନିଜ କର୍ତ୍ତବ୍ୟରେ ଅବହେଳା କରି ଜାତୀୟ ପତାକାକୁ ଅସମ୍ମାନ କରିଥିବାରୁ ଜିଲ୍ଲା ଶିକ୍ଷାଧିକାରୀ ଗେନ୍ଦ୍ରା କୁଜୁର ଆଜି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ଜଣାପଡିଛି ।