ପର୍ଯ୍ୟଟକଙ୍କ ପାଇଁ ଅଭିନବ ପଦକ୍ଷେପ; ସଂଗ୍ରହାଳୟରେ ରହିବ ପୁରୁଣା ସାମଗ୍ରୀ, ଆରମ୍ଭ ହେଲା ଚିହ୍ନଟ ପ୍ରକ୍ରିୟା

0 158

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ଓ ସମୃଦ୍ଧି ଏବଂ ପର୍ଯ୍ୟଟକମାନଙ୍କୁ ଅଧିକ ମାତ୍ରାରେ ଆକୃଷ୍ଟ କରିବା ଦିଗରେ ଜିଲ୍ଲା ପ୍ରଶାସନ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି । ଏଣିକି ବିନା ଗାଇଡରେ ଆସୁଥିବା ପର୍ଯ୍ୟଟକମାନେ ସୁବିଧାରେ ସଂଗ୍ରହାଳୟ ବୁଲିବା ସହ ପ୍ରତ୍ୟେକ ସାମଗ୍ରୀ ସଂପର୍କରେ ସହଜରେ ଜାଣିପାରିବେ । ଏହି ଉଦ୍ଦେଶ୍ୟକୁ ବାସ୍ତବ ରୂପ ଦେବା ଲାଗି ଆଜି ବୌଦ୍ଧ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏହି କାର୍ଯ୍ୟ ଳାଗି ତିନୋଟି କମିଟି ଗଠନ ସହ ଆଜିଠୁ ସାମଗ୍ରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତାକାଲିଠାରୁ ସାମଗ୍ରୀ ଚିହ୍ନଟ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ସଭ୍ୟ ଏବଂ ବୌଦ୍ଧର କଳା,ସଂସ୍କୃତିରେ ରୁଚି ରଖୁଥିବା ବ୍ୟକ୍ତିବିଶେଷ ସଂଧ୍ୟା ସାଢେ ୬ଟାରୁ ସାଢେ ସାତଟା ପର୍ଯ୍ୟନ୍ତ ସଂଗ୍ରହାଳୟରେ ଉପସ୍ଥିତ ରହିବେ । ସଂଗ୍ରହାଳୟରେ ଉପସ୍ଥିତ ରହି ସାମଗ୍ରୀ ଚୟନ କରି ଏହାକୁ ଓଡ଼ିଆ ଓ ଇଂଲିଶରେ ଷ୍ଟିକରିଙ୍ଗ କରିବା ସହିତ ଉକ୍ତ ବିଷୟରେ ଗୋଟିଏ ଲେଖା ଦେବାପାଇଁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

hiring

ଏହାଛଡ଼ା,କାହା ପାଖରେ ଯଦି କିଛି ପୁରୁଣା ସାମଗ୍ରୀ ଥାଏ.ତାହାକୁ ସଂଗ୍ରହାଳୟକୁ ଦେବା ଲାଗି ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟ ତଥା ସାହିତ୍ୟିକ ନୀଳ ଲୋହିତ ମହାପାତ୍ର, ବ୍ଲକ କଳା ସଂସ୍କୃତି ସଂଘର ଉପ -ସଭାପତି, ବୌଦ୍ଧ ବ୍ଲକର ସ୍ୱାଧୀନ କୁମାର ପରିଡା, ରମେଶ ପ୍ରସାଦ ମେହେର, ଜିତେନ୍ଦ୍ର କୁମାର ମହାନ୍ତି, ଅକ୍ଷୟ କୁମାର ମହାକୁଡ ଓ ସଂଗ୍ରହାଳୟର କର୍ମଚାରୀ ଦେବୀଲାଲ ସାହୁ, ବାବୁଲାଲ ନାୟକ, ଆଶୁତୋଷ ସାହୁ, ଜୟଦେବ ବେହେରା, ଶ୍ୟାମ ମିର୍ଦ୍ଧା ପ୍ରମୁଖ ଉପସ୍ଥିତ ଥିଲେ । ସର୍ବମୋଟ ୧୭ଟି କକ୍ଷରେ ଏହି ଚୟନ କାର୍ଯ୍ୟ ଜାରି ରହିବ ଏବଂ ସେ ସମ୍ପର୍କିତ ଲେଖା ଦେବାପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ ସଂସ୍କୃତି ଆମର ପରିଚୟ । ଆମ ସଂସ୍କୃତି,ପରମ୍ପରା ଓ ଐତିହ୍ୟ ସଂପର୍କରେ ଲୋକଙ୍କୁ ଜଣାଇବାର ଅନ୍ୟ ଏକ ବଳିଷ୍ଠ ମାଧ୍ୟମ ହେଉଛି ସଂଗ୍ରହାଳୟ । ଏଣୁ ସଂଗ୍ରହାଳୟର ସୁରକ୍ଷା ଆମର ସମସ୍ତଙ୍କର ଦାୟିତ୍ୱ ବୋଲି ଜ଼ିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଶେଷରେ ଡିଆଇପିଆରଓ ସମସ୍ତଙ୍କ ଉପସ୍ଥିତି ଓ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

four × five =