ବୌଦ୍ଧ : ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଜଙ୍ଗଲ ସମ୍ପଦରେ ଭରପୁର ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଧିରେ ଧିରେ ଅବକ୍ଷୟ ସହ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି। ବିଶେଷ ଭାବରେ ପଲିଥିନ ଭଳି କଠିନ ବର୍ଜ୍ୟ ସାମଗ୍ରୀ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଆଜି ବିଶ୍ୱ ପରିବେଶ ଦିବସ କୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ କରାଯାଇଥିବା ବେଳେ ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ରେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ସିଡିଓ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ସାଂସଦ ପ୍ରତିନିଧି ଯୁଗଳ କିଶୋର ସାମଲ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ, ବନ ଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ, କଣ୍ଟାମାଳ ବିଧାୟକ ପ୍ରତିନିଧି ବିପ୍ର ଚରଣ ମହାନ୍ତିଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ। ଏହି ଅବସରରେ ବୌଦ୍ଧ ଜିଲ୍ଲା ର ତିନୋଟି ବ୍ଲକର ତିନୋଟି ବିଦ୍ୟାଳୟର ଶିକ୍ଷକଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସେପଟେ ଆଜି ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ କୁ ବିଧାୟକ, ଜିଲ୍ଲାପାଳ, ସିଡିଏମଓ ଓ ଅନ୍ୟାନ୍ୟ ଅତିଥି ମାନେ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଲୋକାର୍ପଣ କରିଥିଲେ।
