ବିବାଦୀୟ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରାଯାଉ

0 49

ଭୁବନେଶ୍ୱର: ମହିଳାଙ୍କୁ ସମ୍ମାନ ଓ ମୋ ପରିବାର ସ୍ଲୋଗାନ ଦେଉଥିବା ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ବାବୁ କିଭଳି ବିବାଦୀୟ ମନ୍ତ୍ରୀମାନଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି ପ୍ରଶ୍ନ କରିଛି । ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା, ଉପସଭାପତି ତଥା ମୁଖପାତ୍ର ଡ. ଦେବାଶିଷ ପଟ୍ଟନାୟକ ରାଜ୍ୟର ଜଣେ ମନ୍ତ୍ରୀ ଯେପରି ମହିଳାମାନଙ୍କ ସମ୍ମୁଖରେ ଓ ମହିଳାମାନଙ୍କ ଉଦ୍ଦେଶ୍ୟରେ ଅଶାଳୀନ ଶବ୍ଦ ପ୍ରୟୋଗ କରୁଥିବାର ଭିଡିଓ ଭାଇରାଲ ହୋଇଛି ସେ ସମ୍ପର୍କରେ ଦଳ କିମ୍ବା ମୁଖ୍ୟ ମନ୍ତ୍ରୀଙ୍କ ନୀରବତା କାହିଁକି ବୋଲି ପ୍ରଶ୍ନ ପଚାରିଛନ୍ତି । ଏହା ପୂର୍ବରୁ ସଂପୃକ୍ତ ମନ୍ତ୍ରୀ ଯିଏକି ପୂର୍ତ, ପଂଚାୟତରାଜ ଓ ଆଇନ ବିଭାଗ ପରି ଦାୟୀତ୍ୱରେ ରହିଛନ୍ତି । ସିଏ କିପରି ବହୁଚର୍ଚ୍ଚିତ ମାହାଙ୍ଗା ଡର୍ବଲ ମର୍ଡର ଘଟଣାରେ ନିଜ ନାମକୁ ଚାର୍ଜସିଟ୍‌ରୁ ବାଦ ଦେବାପରେ କୋର୍ଟ ଦ୍ୱାରା ଭର୍ତ୍ସିତ ହୋଇଥିଲେ ତାହାର ଉଦାହରଣ ଦେଇ ଏହା କ’ଣ ବହୁ ପ୍ରଚାରିତ ୫-ଟି ର ସ୍ୱଚ୍ଛତା ବୋଲି ଜାଣିବାକୁ ଚାହିଁଥିଲେ । ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ମହାନ କାଣ୍ଡାରୀ ଗଣକବି ବୈଷ୍ଣବ ପାଣିଙ୍କ ମାଟିକ ପ୍ରତିନିଧିତ୍ୱ କରୁଥିବା ବ୍ୟକ୍ତିଙ୍କ ଏଭଳି ଅଭଦ୍ର, ଅଶ୍ଳୀଳ ଓ ଅସମାଜିକ ଶବ୍ଦ ଓ ଆଚରଣ ସମଗ୍ର ମାହାଙ୍ଗା ମାଟି ଓ ତାର ଜନସାଧାରଣଙ୍କ ପ୍ରତି ପ୍ରଚଣ୍ଡ ଅପମାନ ବୋଲି ବ୍ୟକ୍ତ କରିଥିଲେ । କେବଳ ସେତିକି ନିଜକୁ ରେଭେନ୍ସାର ଛାତ୍ର ଓ ଆଲୁମିନିର ସଦସ୍ୟ କହି ବୁଲୁଥିବାର ତାଙ୍କର ଏତାଦୃଶ ଆଚରଣ ଓ ଉଚାରଣ ରେଭେନ୍ସାର ଗାରିମାକୁ ମଧ୍ୟ କ୍ଷୂର୍ଣ୍ଣ କରୁଛି ବୋଲି କହିବା ସହ ଏହା ସମଗ୍ର କଟକ ଜିଲ୍ଲା ଓ ସର୍ବୋପରି ଆମ ରାଜ୍ୟ ଓଡ଼ିଶାର ସମ୍ମାନ ଉପରେ ଆକ୍ରମଣ ବୋଲି ସେ କହିଥିଲେ ।
ରେଭେନ୍ସାର ଛାତ୍ରଛାତ୍ରୀ, ଶିକ୍ଷକ ସମାଜ ଓ ଆଲୁମିନା ଆସୋସିଏସନ ଏହାଦ୍ୱାରା ଲଜ୍ଜିତ ଏବଂ ଏହି ଅଭଦ୍ରାମି ସଭ୍ୟ ସମାଜ ଦ୍ୱାରା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଥିଲେ ।
ମମିତା ମେହେର ହତ୍ୟା ଘଟଣା ଠାରୁ ଆରମ୍ଭ କରି ମାହାଙ୍ଗା ଡବଲ ମର୍ଡର ଘଟଣା ଆଦି ବହୁ ଘଟଣାରେ ମନ୍ତ୍ରୀମାନଙ୍କ ସ୍ୱେଚ୍ଛାଚାରିତା ଓ ସରକାରଙ୍କ ପୃଷ୍ଠପୋଷକତା ଆଦି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ।
ସଂପୃକ୍ତ ମନ୍ତ୍ରୀ ନିଜ ଆଡ଼ୁ ଇସ୍ତଫା ଦେବା ଉଚିତ୍ ନଚେତ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି ସେ ଦାବି କରିଛନ୍ତି । ବାଙ୍କୀର ପୂର୍ବତନ ବିଧାୟକ ମଧ୍ୟ ନୂଆବର୍ଷରେ ନାରୀମାନଙ୍କୁ କିଭଳି ବ୍ୟବହାର କରିଛନ୍ତି ତାହା ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଛି । ନବୀନ ବାବୁ ଏସବୁ ଜାଣିପାରୁଛନ୍ତି କି ନାହିଁ, ପଚାରିବା ସହ ଯଦି ଜାଣିମଧ୍ୟ ନୀରବ ରହୁଛନ୍ତି ତାର ଫଳାଫଳ ଭୋଗିବାକୁ ସେ ପ୍ରସ୍ତୁତ ରୁହନ୍ତି ବୋଲି ଚେତାବନୀ ଦେଇଥିଲେ । ମାନ୍ୟବର ରାଜ୍ୟପାଳ ମଧ୍ୟ ଏ ଘଟଣାରେ ହସ୍ତକ୍ଷେପ କରିବା ସହ ସରକାରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଡ. ପଟ୍ଟନାୟକ ଦାବିକରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ମନୋରଞ୍ଜନ ଦାଶ, ଅମିୟ ପାଣ୍ଡବ ଏବଂ ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

19 − 17 =