କୋଭିଡ କଟକଣାରେ ହେବ କୋଣାର୍କ ଉତ୍ସବ

0 75

ପୁରୀ : ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ କୋଣାର୍କ ଉତ୍ସବ ଓ ଇକୋ ରିଟ୍ରିଟ ଆରମ୍ଭ ହେବାକୁ ଯାଉଛି । ପର୍ଯ୍ୟଟକଙ୍କୁ ପୁଣି ଥରେ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି । କୋଣାର୍କ-ପୁରୀ ବେଳାମାର୍ଗ ରାମଚଣ୍ଡୀ ମୁହାଣରେ ଇକୋ ରିଟ୍ରିଟ୍‌, କୋଣାର୍କରେ କୋଣାର୍କ ଉତ୍ସବ ଓ ଚନ୍ଦ୍ରଭାଗା ବେଳାଭୁମିରେ ଅନ୍ତର୍ଜାତୀୟ ବାଳୁକା କଳା ଉତ୍ସବ ଆୟୋଜିତ ହେଉଛି । କୋଣାର୍କ ଉତ୍ସବ ସରିଲେ ଦ୍ୱିତୀୟ ସପ୍ତାହରେ ଇକୋ ରିଟ୍ରିଟ୍‌ ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି । ଏଥି ନିମନ୍ତେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ ରାମଚଣ୍ଡୀ ମୁହାଣ, ଚନ୍ଦ୍ରଭାଗା ବେଳାଭୂମି, ମୁକ୍ତାକାଶ ରଙ୍ଗମଞ୍ଚଳରେ ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ।
କୋଣାର୍କର ରାମଚଣ୍ଡୀ ମୁହାଣ ନିକଟ ବେଳାଭୂମିରେ ରାସ୍ତା ମରାମତି ସଫେଇ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଖୁବଶୀଘ୍ର ପାନୀୟ ଜଳବ୍ୟବସ୍ଥା, ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ହେବ । ସ୍ୱତନ୍ତ୍ର ନିର୍ମିତ ଟେଣ୍ଟରେ ସମସ୍ତ ସୁବିଧା ସହିତ ସୁରକ୍ଷା ପ୍ରତି ଅଧିକ ଦୃଷ୍ଟି ଦିଆଯିବ । ପର୍ଯ୍ୟଟକମାନେ ବେଳାଭୂମିରେ ରହି ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିବେ । ଏହା ବ୍ୟତୀତ ପାରାସେଲିଂ ଓ ଯୋଗ ଆଦି କାର୍ଯ୍ୟକ୍ରମ ଆୟୋଜିତ ହେବ । କରୋନା କଟକଣା ଯୋଗୁ ଏଥର ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ତହସିଲଦାର ଏସ୍କେ ସାଗିର, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । କୋଭିଡ୍‌ ଗାଇଡଲାଇନରେ ଇକୋ ରିଟ୍ରିଟ୍‌ ସହିତ ଜଡ଼ିତ ସମସ୍ତ ବିଭାଗକୁ କାର୍ଯ୍ୟ ଆରମ୍ଭ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି ।

hiranchal ad1
Leave A Reply

Your email address will not be published.

19 + five =