ରାସନ କାର୍ଡଥିବା ସତ୍ୱେ ଅସହାୟଙ୍କୁ ୬ମାସ ହେଲା ମିଳୁନି ଚାଉଳ

0 165

ଦାରିଙ୍ଗବାଡି,୧୩/୫ : ରାଜ୍ୟ ସରକାରଙ୍କ ଟଙ୍କିକିଆ ଚାଉଳ ଯୋଜନା ଅସହାୟ ଲୋକଙ୍କୁ ସହାୟତା କରୁଥୁବା ବେଳେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ଅନେକ ଗରିବ ଶ୍ରେଣୀର ଲୋକେ ବହୁ ସରକାରୀ ଯୋଜନାରୁ ବାଦ୍‌ ପଡି ସେଥିରୁ ବଞ୍ଚିତ ରହୁଥିବାରୁ ଅସନ୍ତୋଷ ଦେଖାଦେଉଛି । ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ମସିହାରେ ପ୍ରଣୟନ ହୋଇଥିବା ନିୟମ ପ୍ରକାରେ ରାଜ୍ୟ ସରକାର ୧ଟଙ୍କାରେ ଚାଉଳ ଓ ଗହମ ରାସନ ସାମଗ୍ରୀ ଯୋଗାଇ ଦେଉଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ ମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଗୋଟିଏ ପରିବାରର ରାସନକାର୍ଡ ଥିବା ବେଳେ ସେ ୨ବର୍ଷ ଧରି ସମସ୍ତ ସାମଗ୍ରୀ ପାଉଥିବା ବେଳେ ଗତ ଡିସେମ୍ବର ମାସରୁ ଚଳିତବର୍ଷ ମେ ମାସ ଅର୍ଥାତ ଦୀର୍ଘ ୬ମାସ ଧରି ରାସନ ଚାଉଳ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ଏହିଭଳି ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଦଡ଼ିବାଡ଼ି ଗ୍ରାମର ବାମଜିନୀ ପ୍ରଧାନଙ୍କ ପରିବାର କ୍ଷେତ୍ରରେ । ବାମଜିନୀ ପ୍ରଧାନଙ୍କ ପରିବାରରେ ସ୍ୱାମୀ ଲୁସିକା ପ୍ରଧାନ ଓ ୨ପୁଅ ଓ ଗୋଟିଏ ଝିଅ ରହିଥିବା ବେଳେ ଝିଅ ବିବାହ କରିସାରିଥିବା ବେଳେ ବଡ ପୁଅ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଛି । ସରକାରଙ୍କ ପକ୍ଷରୁ ବାମଜିନୀଙ୍କ ନାମରେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ବେଳେ ସେହି କାର୍ଡରେ ସ୍ୱାମୀ ଲୁସିକା ପ୍ରଧାନ ୨ପୁଅ ଓ ଝିଅ ଜିନିତାଙ୍କ ନାମ ସାମିଲ ହୋଇଛି । ମୁଣ୍ଡ ପିଛା ହିସାବରେ ମାସକୁ ୨୫କିଲୋ ଚାଉଳ ମିଳୁଥିବା ଯୋଗୁଁ ପରିବାର ଲୋକେ ଯେନତେନ ପ୍ରକାରେ ଚଳିଯାଉଥିଲେ କିନ୍ତୁ ୨୦୨୦ ମସିହାରୁ ମହାମାରୀ କରୋନା ଯୋଗୁଁ ସେମାନଙ୍କ ଅବସ୍ଥା ନକହିଲେ ଭଲ ବଡ ପୁଅ ନିରଞ୍ଜନ ଦାଦନ ଖଟିବାକୁ ଯାଇଥିବା ବେଳେ ଘରେ ବୃଦ୍ଧା ବାମଜିନୀ ସ୍ୱାମୀ ଓ ସାନ ପୁଅ ସହିତ ବହୁ ଅସୁବିଧାରେ ରହୁଛନ୍ତି । ଶେଷ ଥର ପାଇଁ ଗତ ନଭେମ୍ବର ମାସରେ ସେମାନଙ୍କୁ ଚାଉଳ ମିଳିଥିଲା । କିନ୍ତୁ ସେବେଠାରୁ ଆଜି ଯାଏଁ କିରାସିନି ମିଳୁଥିଲେ ସୁଦ୍ଧା ଚାଉଳ କାହିଁକି ଦିଆଯାଉନାହିଁ ତାହା ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି । ଦୀର୍ଘ ୬ମାସ ହେଲା ରାସନ କାର୍ଡ ରେ ଚାଉଳ ନମିଳିବା ଯୋଗୁଁ ସେମାନେ ଭୋକ ଉପାସରେ ଜୀବନ କାଟୁଥିବାବେଳେ ପାଖ ପଡୋଶୀ କିଛିକିଛି ସହାୟତା କଲେ ଓଳିଏ ଖାଇଲେ ଆର ଓଳିଏ ଉପାସରେ ରୁହନ୍ତି । ତେବେ କାର୍ଡରେ କୌଣସି ତ୍ରୁଟିନଥିବା ବେଳେ ସମସ୍ତଙ୍କ ଆଧାରକାର୍ଡ ନମ୍ବର ଯୋଡ଼ି ହେବା ସତ୍ତେ୍ୱ କାହିଁକି ତାଙ୍କୁ କାର୍ଡରେ ଚାଉଳ ଦିଆଯାଉନାହିଁ ସେମାନେ ଜାଣୁନାହାନ୍ତି କହି ସରକାର ସେମାନଙ୍କୁ ଟଙ୍କିକିଆ ଚାଉଳ ପ୍ରଦାନ କଲେ ଜୀବନଥିବା ଯାଏଁ କଷ୍ଟେ ମଷ୍ଟେ ଚଳିଯିବେ ବୋଲି କହିଛନ୍ତି । ଏନେଇ ସିମନବାଡ଼ି ସରପଞ୍ଚ ଅମିତା ପ୍ରଧାନଙ୍କ ସହିତ ଯୋଗାଯୋଗ କରିବାରୁ ସେ ଏହି ବାବଦରେ ଅବଗତ ଥିବା ବେଳେ ସେ ମଧ୍ୟ ଏ ନେଇ ବ୍ଲକ ଯୋଗାଣ ଅଧିକାରୀଙ୍କୁ ଅବଗତ କରିଥିବା କହିଥିବା ବେଳେ ବ୍ଲକ ଯୋଗାଣ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

hiranchal ad1
Leave A Reply

Your email address will not be published.

8 − 7 =