ଲକ୍‌ ଡାଉନରେ ଖୋଲିଥିଲା ଲୁଗା ଦୋକାନ, ତହସିଲଦାରଙ୍କ ଚଢ଼ାଉ ସିଲ୍‌ କରିବାକୁ ଚେତାବନୀ

0 276

ଦାରିଙ୍ଗବାଡ଼ି,୧୪/୫: ରାଜ୍ୟରେ ଜାରିରହିଛି ୧୪ଦିନିଆ ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ନିୟମ ଆସନ୍ତାକାଲି ଠାରୁ ସପ୍ତାହନ୍ତ ସଟଡାଉନ ଲାଗୁ ହେବ । ଯାହାଫଳରେ ଆଜି ସକାଳୁ ଦାରିଙ୍ଗବାଡ଼ି ସମେତ ସିମନବାଡ଼ି ସହିତ ଅଞ୍ଚଳର ବିଭିନ୍ନ ବଜାରରେ ଗହଳି ଦେଖିବାକୁ ମିଳିଥିବା ବେଳେ ଲୋକେ କୋଭିଡ ନିୟମକୁ ପାଳନ କରୁନଥିବା ଦେଖିବାକୁ ମିଳିଛି । ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ନେବା ପାଇଁ ଚାଲି ଚାଲି ଆସିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି କିନ୍ତୁ ସିମନବାଡ଼ି ବଜାରରେ ଅମାନିଆମାନେ ବିନା କାରଣରେ ବାଇକ ଧରି ବୁଲୁଥିବା ବେଳେ ଅଟୋ ଗୁଡ଼ିକ ମଧ୍ୟ ଚଳାଚଳ କରିବା ଦେଖିବାକୁ ମିଳିଥିଲା । ଏହିଭଳି ପରିପ୍ରେକ୍ଷୀରେ ଆଜି ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ ସିମନବାଡ଼ିରେ ପହଞ୍ଚିଥିବା ବେଳେ କଟକଣା ଜାରି ଥିବା ସତ୍ତେ୍ୱ ମୁଖ୍ୟ ବଜାରରେ ଥିବା ଏକ ଲୁଗା ଦୋକାନ ଅଧା ଖୋଲି ଦୋକାନ ଭିତରେ ଗ୍ରାହକମାନଙ୍କୁ ରଖି ବ୍ୟବସାୟ କରୁଥିଲେ । ତହସିଲଦାର ଲୁଗା ଦୋକାନୀଙ୍କୁ କଡ଼ା ତାଗିଦ କରିବା ସହିତ ଦୋକାନ ଭିତରୁ ଗ୍ରାହକଙ୍କୁ ବାହାର କରି ତୁରନ୍ତ ଦୋକାନ ବନ୍ଦ କରିବାକୁ କହିଥିବାବେଳେ ପୁନର୍ବାର ଦୋକାନ ଖୋଲିଲେ ସିଲ କରିଦିଆଯିବ ବୋଲି କଡ଼ା ଚେତାବନୀ ଦେଇଥିଲେ । ଏହାପରେ ସେ ବଜାରରେ ଡାକବାଜି ଯନ୍ତ୍ର ଦ୍ୱାରା ଅମାନିଆ ମାନଙ୍କୁ ବିନା କୌଣସି କାମ ନଥିଲେ ଅଯଥାରେ ବଜାରରେ ଭିଡ ନକରିବାକୁ ଅନୁରୋଧ କରିଥିଲେ । ଏଥିସହିତ ଯଦି ଅମାନିଆ ମାନେ ପ୍ରଶାସନ ର ଅନୁରୋଧ ନରଖନ୍ତି ତେବେ ଆଗାମୀ ଦିନରେ ଜୋରିମାନା ଆଦାୟ କରାଯିବ ବୋଲି କହି ଜନସାଧାରଣଙ୍କୁ ବୁଝାଇଥିଲେ । ସୂଚନା ପ୍ରକାରେ ରାଜ୍ୟରେ ଲକଡାଉନ ଲାଗୁହେବା ଦିନଠାରୁ କନ୍ଧମାଳ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଦାରିଙ୍ଗବାଡ଼ି ଅଞ୍ଚଳରେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି କିନ୍ତୁ ଅମାନିଆମାନେ ସରକାରଙ୍କ କଟକଣାକୁ ମାନୁନଥିବା ଯୋଗୁଁ ସେହି ଅମାନିଆ ମାନଙ୍କ ପାଇଁ ଅଞ୍ଚଳରେ ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।

hiranchal ad1
Leave A Reply

Your email address will not be published.

17 − 4 =