ଦାରିଙ୍ଗବାଡିକୁ ଏନଏସି ମାନ୍ୟତା ଦାବି

0 76

ଦାରିଙ୍ଗବାଡି,୫/୯ : ଦାରିଙ୍ଗବାଡିକୁ ବିଜ୍ଞାପିତ ଅଂଚଳ ପରିଷଦ (ଏନଏସି ) ଘୋଷଣା କରିବା ପାଇଁ ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ଏକ ବୈଠକ ଆୟୋଜନ ହୋଇଯାଇଛି । ଏନେଇ ବୈଠକରେ ବିଜ୍ଞାପିତ ଅଂଚଳ ପରିଷଦ ଗଠନ ନିମନ୍ତେ ଏକ ୧୫ ଜଣିଆ କମିଟି ଗଠିତ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାପାଳ ଓ ଦାରିଙ୍ଗବାଡି ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଓଡିଶାର ପର୍ଯ୍ୟଟନ ସ୍ଥଳୀ ଭାବେ ଦାରିଙ୍ଗବାଡି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏଭଳିକି ଓଡିଶାର କାଶ୍ମୀର ଭାବେ ଦାରିଙ୍ଗବାଡି ବେଶ ପରିଚିତ । ହେଲେ ଏହି ଦୃଷ୍ଟିରୁ ଦାରିଙ୍ଗବାଡିରେ ଯେଉଁଭଳି ବିକାଶ ହେବା କଥା ସେଭଳି ଭାବେ ବିକାଶ ହୋଇପାରୁନାହିଁ । ଦାରିଙ୍ଗବାଡି ଏକ ଗ୍ରାମ ପଞ୍ଚାୟତ ହୋଇଥିବା ଯୋଗୁଁ ଅନୁଦାନ ଯାହା ଆସୁଛି ତାହା ଅଂଚଳର ଉନ୍ନୟନ ମୂଳକ କାର୍ଯ୍ୟ ସହ ପର୍ଯ୍ୟଟନ ସ୍ଥଳୀର ଉନ୍ନୟନ କାମ ପାଇଁ ଯଥେଷ୍ଟ ହେଉନାହିଁ । ଦାରିଙ୍ଗବାଡି ଗ୍ରାମ ପଞ୍ଚାୟତ ବ୍ଲକ ଅଂଚଳ ମଧ୍ୟରେ ଏକ ବଡ଼ ପଞ୍ଚାୟତ ହୋଇଥିବା ବେଳେ ନିକଟରେ ରହିଛି ଗ୍ରୀନବାଡି ପଞ୍ଚାୟତ । ଏହି ଦୁଇଟି ପଞ୍ଚାୟତର ଲୋକ ସଂଖ୍ୟା ୧୫ ହଜାର ରୁ ଉର୍ଦ୍ଧ ହେବ । ଏଣୁ ଏହାକୁ ଦୃଷ୍ଟିରେ ରଖିବା ସହ ଦାରିଙ୍ଗବାଡି ବିଜ୍ଞାପିତ ଅଂଚଳ ପରିଷଦ ଘୋଷଣା ହେଲେ ଅଂଚଳର ବିକାଶ ହେବା ସହ ପର୍ଯ୍ୟଟନ ସ୍ଥଳୀ ଗୁଡିକର ସଠିକ ବିକାଶ ହୋଇପାରିବ ବୋଲି ଅଂଚଳବାସୀ ମତପ୍ରକାଶ କରିଛନ୍ତି । ଏଣୁ ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଦାରିଙ୍ଗବାଡି ଅଂଚଳବାସୀ ଦାବି କରିଛନ୍ତି । ଏହି ବୈଠକରେ ଗ୍ରୀନବାଡି ସରପଞ୍ଚ ସଞ୍ଜୟ ପ୍ରଧାନ,ଦାରିଙ୍ଗବାଡି ସରପଞ୍ଚ ରାଧାକାନ୍ତ ପ୍ରଧାନ,ସମିତିସଭ୍ୟ ରାଜେନ୍ଦ୍ର ସାହୁ,ବଣିକ ସଂଘ ସଭାପତି ଅରୁଣ ସାହୁ,ଜାଗୃତି ସଂପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ,ରମେଶ ଚନ୍ଦ୍ର ସାହୁ,ନବାତୀ ମନ୍ତ୍ରୀ,ପତିତପାବନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

1 + nineteen =