ଦାରିଙ୍ଗବାଡ଼ି,୪/୧୦: ଗତ ସେପ୍ଟେମ୍ବର ମାସ ୧୬ତାରିଖ ବିଳମ୍ବିତ ରାତିରେ ବ୍ଲକ କାର୍ଯ୍ୟଳୟ ପରିସରରେ ଆମରଣ ଅନଶନରେ ବସିଥିବା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ସମେତ ଜନ ପ୍ରତିନିଧିଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଅକ୍ଟୋବର ୨ତାରିଖ ମଧ୍ୟରେ ସେମାନଙ୍କ ଦାବି ପୂରଣ ହେବା ନେଇ ପ୍ରତିଶୃତି ଦିଆଯାଇ ଅନଶନରୁ ଉଠାଇବାରେ ସକ୍ଷମ ହୋଇଥିଲେ । ତେବେ ଜିଲ୍ଲା ପ୍ରଶାସନ ଦେଇଥିବା ପ୍ରତିଶୃତି ଅକ୍ଟୋବର ୨ତାରିଖ ସୁଦ୍ଧା ପାଳନ ହୋଇନଥିବା ବେଳେ ସ୍ଥାନୀୟ ପ୍ରଶାସନଙ୍କୁ ଏନେଇ ବ୍ଲକ ଅଧ୍ୟକ୍ଷା ଉପାଧ୍ୟକ୍ଷ ପ୍ରମୁଖ ଆଲୋଚନା କରିଥିବା ବେଳେ ସେମାନଙ୍କୁ କୌଣସି ସନ୍ତୋଷଜନକ ମିଳିନାହିଁ । ଯାହାଫଳରେ ସୋମବାର ଦିନ ଦାରିଙ୍ଗବାଡି ବ୍ଲକ କଂଗ୍ରେସ ଦଳ ତରଫରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ କଂଗ୍ରେସ ଦଳ ରଣ ହୁଙ୍କାର ଦେଇ ଆସନ୍ତା ୧୦ତାରିଖ ସୁଦ୍ଧା ସବୁ ଦାବି ପୂରଣ ନହେଲେ ଦଳ ତରଫରୁ ୧୧ ତାରିଖରେ ଦାରିଙ୍ଗବାଡି ବନ୍ଦ ଡାକରା ଦିଆଯାଇଛି । ଆଜି ଏନେଇ ଦାରିଙ୍ଗବାଡି ବ୍ଲକ କଂଗ୍ରେସ ଦଳ ତରଫରୁ ଜିଲ୍ଲାପାଳ ଡଃ ବୃନ୍ଦା ଡି ଙ୍କ ଉଦ୍ଦେଶ୍ୟରେ ଦାରିଙ୍ଗବାଡି ତହସିଲଦାର ଚାର୍ଲସ ନାୟକଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲାପାଳଙ୍କୁ ମେଲ ଯୋଗେ ମଧ୍ୟ ଦାବି ପତ୍ର ପଠାଯାଇଥିବା ନେଇ ବ୍ଲକ ଅଧ୍ୟକ୍ଷା ରୁଦା ମଲ୍ଲିକ ପ୍ରକାଶ କରିଛନ୍ତି । ସୁଚନା ପ୍ରକାରେ ଦାରିଙ୍ଗବାଡି ବ୍ଳକ ସହକାରୀ ନିର୍ବାହୀ ଯନ୍ତ୍ରୀ ବବୃବାହନ ବେହେରାଙ୍କ ମନମୁଖି ଶାସନ ଏବଂ ସ୍ଥାନୀୟ ଜି-ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ବିଜୁ ପାଠାଗାର ନାମରେ ସରକାରୀ ଜମି ହଡ଼ପ କରି ବେଆଇନ ଘର ନିର୍ମାଣ କରିଥିବା ଅଭିଯୋଗରେ ବ୍ଳକର ବ୍ଳକ ଅଧ୍ୟକ୍ଷା ରୁଦା ମଲିକଙ୍କ ନେତୃତ୍ୱରେ ଉପାଧ୍ୟକ୍ଷ ରମାକାନ୍ତ ବଳିଆର ସିଂ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟା ସଭ୍ୟ ପ୍ରମୁଖ ଗତ ୧୬ତାରିଖରେ ବ୍ଳକ କାର୍ଯ୍ୟାଳୟ ପରିସରରେ ଆମରଣ ଅନଶନରେ ବସିଥିଲେ କ୍ଷ ତେବେ ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ କନ୍ଧମାଳ ଜିଲ୍ଲା ପ୍ରକଳ୍ପ ର୍ନିେଶକ ବିଶ୍ୱରଂଜନ ନାୟକ ,ଦାରିଙ୍ଗବାଡି ବିଡିଓ କଳାକୃଷ୍ଣ ପ୍ରଧାନ,ତହସିଲଦାର ଚାର୍ଲେସ ନାୟକ,ଥାନା ଅଧିକାରୀ କୌଶିକ ମାଝୀ ପ୍ରମୁଖ ଅନଶନରେ ବସିଥିବା ଜନ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ଜନ ପ୍ରତିନିଧି ମାନଙ୍କ ଦାବି ମୁତାବକ ଆସନ୍ତା ଅକ୍ଟୋବର ମାସ ୨ତାରିଖ ସନ୍ଧ୍ୟା ସୁଦ୍ଧା ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କୁ ଦାରିଙ୍ଗବାଡି ବ୍ଲକରୁ ଅନ୍ୟତ୍ର ବଦଳି କରାଯିବା ନେଇ ପ୍ରତିଶୃତି ଦେଇଥିଲେ । ଏହାପରେ ଜନ ପ୍ରତିନିଧିମାନେ ଆମରଣ ଅନଶନରୁ ଓହରିଥିଲେ । ଏହାପରେ ସେପ୍ଟେମ୍ବର ୧୮ତାରିଖରେ କନ୍ଧମାଳ ପି.ଡି ବିଶ୍ୱରଂଜନ ନାୟକ ଦାରିଙ୍ଗବାଡି ଆସି ଜନପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ସରକାରୀ ଜମିରେ ଜି-ଉଦୟଗିରି ବିଧାୟକ ବେଆଇନ ଭାବେ ବିଜୁ ପାଠାଗାର ନାମରେ ନିଜସ୍ୱ କୋଠା ନିର୍ମାଣ ଅଭିଯୋଗର ତଦନ୍ତ କରିବା ସହ ଉକ୍ତ ଜମିର ସ୍କେଚ ମ୍ୟାପ ବାହାର କରିବା ସହ ୭ଦିନ ମଧ୍ୟରେ ଆଇନ ଅନୁସାରେ ନିର୍ମାଣ ହୋଇଥିବା ଗୃହକୁ ସରକାର ନିଜ ଅକ୍ତିଆରକୁ ନେବାଭଳି ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଯାହା ଆଜିପର୍ଯ୍ୟନ୍ତ ପାଳନ ହୋଇନାହିଁ ତେଣୁ କଂଗ୍ରେସ ଦଳ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବରିଷ୍ଠ କଂଗ୍ରେସ କର୍ମୀ କାଳୀପ୍ରସାଦ ମଲ୍ଲିକ ପ୍ରକାଶ କରିଛନ୍ତି । ଆଜିର ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ରୁଦା ମଲ୍ଲିକ, ଉପାଧ୍ୟକ୍ଷ ରମାକାନ୍ତ ବଳିଆରସିଂ ଙ୍କ ସମେତ ଅମୀରଚାନ୍ଦ ନାୟକ, ବ୍ଲକ କଂଗ୍ରେସ ସଭାପତି ପ୍ରଦୀପ ନାୟକ ,କୋଷାଧ୍ୟକ୍ଷ ସନ୍ତୋଷ ଦିଗାଲ ,ଯୁବନେତା ଶ୍ୟାମଘନ ପ୍ରଧାନ, କରମ ସିଂ ନାୟକ, ସମ୍ପାଦକ ଶରତ ଚନ୍ଦ୍ର ପ୍ରଧାନ ,ବରିଷ୍ଠ କର୍ମୀ କାଳୀ ପ୍ରସାଦ ମଲ୍ଲିକ ,ବିଦ୍ୟାଧର ନାୟକ, ପ୍ରଭଞ୍ଜନ ନାୟକ,,ଜ୍ୟୋତି ନାୟକ,ଜୁନସ ପ୍ରଧାନ, ଶ୍ୟାମସନ ଦିଗାଲଙ୍କ ସମେତ ବହୁକର୍ମୀ ଉପସ୍ଥିତ ରହିଥିଲେ ।