ବ୍ରାହ୍ମଣୀଗାଁ ଷ୍ଟେଟବ୍ୟାଙ୍କର ଅବ୍ୟବସ୍ଥା, ବ୍ୟାଙ୍କରେ ତାଲା ପକାଇଲେ ଅଂଚଳବାସୀ

0 115

ଦାରିଙ୍ଗବାଡି,୨୭/୮ : ଗ୍ରାହକଙ୍କୁ ଦୁର୍ବ୍ୟବହାର ଓ ସଠିକ ସେବା ନଯୋଗାଇବା ପଡିଲା ମହଙ୍ଗା । ବାରମ୍ବାର ଅଭିଯୋଗ ପରେ ବି ଷ୍ଟେଟ ବ୍ୟାଙ୍କ କର୍ମଚାରୀ ନିଜର ଭୁଲ ସୁଧାରୁ ନଥିବା ଯୋଗୁଁ ଶେଷରେ ଗ୍ରାହକମାନେ ଉତକ୍ଷିପ୍ତ ହୋଇ ବ୍ୟାଙ୍କରେ ତାଲା ପକାଇଥିଲେ । ବ୍ରାହ୍ମଣୀଗାଁ ଷ୍ଟେଟ ବ୍ୟାଙ୍କରେ ଦେଖିବାକୁ ମିଳିଛି ଏଭଳି ଅବ୍ୟବସ୍ଥା । ଏହି ବ୍ୟାଙ୍କ ଉପରେ ଦାରିଙ୍ଗବାଡି ବ୍ଲକର ୮ ଗୋଟି ପଞ୍ଚାୟତର ଲୋକ ନିର୍ଭର କରୁଥିବା ବେଳେ ଗଜପତି ଓ ରାୟଗଡା ଜିଲ୍ଲାର ଲୋକମାନେ ମଧ୍ୟ ଏହି ବ୍ୟାଙ୍କ ଉପରେ ନିର୍ଭର କରିଥାନ୍ତି । ହେଲେ ବ୍ୟାଙ୍କ କର୍ମଚାରୀମାନେ ଗ୍ରାହକଙ୍କୁ ସଠିକ ସେବା ଯୋଗାଉନଥିବା ସହ ଗ୍ରାହକଙ୍କୁ ଦୁର୍ବ୍ୟବହାର କରୁଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ଗୋଟିଏ ଦିନରେ ମାତ୍ର ୪୦ ଜଣ ଗ୍ରାହକଙ୍କୁ ହିଁ ବ୍ୟାଙ୍କ ସେବା ଯୋଗାଉଥିବା ବେଳେ ଦୂରଦୁରାନ୍ତରୁ ଆସୁଥିବା ଶତାଧିକ ଲୋକ ନିଜର ବ୍ୟାଙ୍କ କାମ ନକରିପାରି ଫେରିଯାଆନ୍ତି । ଏପରିକି ମନରେଗା ଯୋଜନାରେ କାମ କରି ଲୋକେ ନିଜର ବ୍ୟାଙ୍କ ଆକାଉଣ୍ଟକୁ ଆସିଥିବା ପାରିଶ୍ରମିକ ଟଙ୍କା ମଧ୍ୟ ଉଠାଇପାରୁନଥିବା ଅଭିଯୋଗ ହୋଇଛି । ଘୋଡ଼ା ଛଅ ଟଙ୍କା କୁ ଦାନା ନଅ ଟଙ୍କା ଭଳି ନିଜର ମନରେଗା ପାରିଶ୍ରମିକ ଟଙ୍କା ଉଠାଇବାକୁ ହେଲେ ଦୁଇରୁ ତିନି ଦିନ କାମ ବନ୍ଦ କରି ଗାଡ଼ି ଭଡ଼ା ଖର୍ଚ୍ଚ଼ କରି ଟଙ୍କା ଉଠାଇବାକୁ ପଡିଥାଏ । ଏଭଳି ସମସ୍ୟାର ସମାଧାନ ନିମନ୍ତେ ବ୍ୟାଙ୍କ କର୍ମଚାରୀଙ୍କୁ ବ୍ରାହ୍ମଣୀଗାଁ ଅଂଚଳବାସୀ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ବ୍ୟାଙ୍କ କର୍ମଚାରୀ ମଧ୍ୟରେ କୌଣସି ପରିବର୍ତନ ଆସିନଥିଲା ବରଂ ଗ୍ରାହକଙ୍କ ପ୍ରତି ଦୁର୍ବ୍ୟବହାର ବୃଦ୍ଧି ପାଇବା ସହ ସେବା ସଠିକ ଭାବେ ମିଳିନଥିଲା । ଶେଷରେ ବ୍ରାହ୍ମଣୀଗାଁ ଅଂଚଳ ବାସୀ ବାଧ୍ୟ ହୋଇ ଆଜି ବ୍ୟାଙ୍କରେ ତାଲା ପକାଇ ଏହାର ପ୍ରତିବାଦ କରିବାସହ ସମାଧାନ ନହେବା ପର୍ଯ୍ୟନ୍ତ ବ୍ୟାଙ୍କରୁ ତାଲା ନହଟାଇବାକୁ ଦାବି କରିଥିଲେ । ଘଟଣା ବାବଦରେ ଖବରପାଇ ଦାରିଙ୍ଗବାଡି ତହସିଲଦାର ଚାର୍ଲେସ ନାୟକ, ଥାନା ଅଧିକାରୀ ଦଶରଥ ହେମ୍ଭ୍ରମ ଅତିରିକ୍ତ ତହସିଲଦାର ନରେନ୍ଦ୍ର ମଲିକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତାଲା ଭାଙ୍ଗି ବ୍ୟାଙ୍କ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ ।

hiranchal ad1
Leave A Reply

Your email address will not be published.

12 − six =