ଜବରଦଖଲକାରୀଙ୍କ କବଳରୁ ଜଙ୍ଗଲ ଜମି ଓ ସରକାରୀ ଜମି ଉଚ୍ଛେଦ ପାଇଁ ପ୍ରଶାସନର ଦ୍ୱାରସ୍ଥ ହେଲେ “ସାନହାମରା’ ଗ୍ରାମବାସୀ

0 137

ଦଶପଲ୍ଲା,୭/୫- ଜଙ୍ଗଲ ଓ ବନ୍ୟ ସମ୍ପଦର ସୁରକ୍ଷା, ଉଜୁଡ଼ା ଜଙ୍ଗଲର ପୁନଃରୁଦ୍ଧାର, ନୂତନ ଜଙ୍ଗଲ ସୃଷ୍ଟି ଏବଂ ବୃକ୍ଷରୋପଣ ନିମନ୍ତେ ସରକାର ବନବିଭାଗ ଜରିଆରେ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଓ ବର୍ଷା କରାଇବାରେ ବୃକ୍ଷର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ବୃକ୍ଷ ହିଁ ଜୀବ, ଜନ୍ତୁ ଓ ମାନବ ସମାଜର ଜୀବନ ଧାରଣ ପାଇଁ ଅମ୍ଳଜାନ ଯୋଗାଇଥାଏ । ଏଣୁ ବୃକ୍ଷ ହିଁ ଜୀବନ କୁହାଯିବା ସହିତ ବୃକ୍ଷରୋପଣ ଓ ଜଙ୍ଗଲର ସୁରକ୍ଷା ପାଇଁ ବନବିଭାଗ , ବିଭିନ୍ନ ସ୍ୱେଚ୍ଛାସେବୀ ଓ ସାମାଜିକ ଅନୁଷ୍ଠାନ ସଭାସମିତି ଜରିଆରେ ଜଙ୍ଗଲ ଏବଂ ବୃକ୍ଷର ଉପକାରିତା ସଂପର୍କରେ ସଚେତନ କରାଇ ଆସୁଛନ୍ତି । ହେଲେ କାଠମାଫିଆମାନେ ଏହି ଜଙ୍ଗଲକୁ କାଟି ଲୁଟ୍‌ କରିବା ଏବଂ ବିଭିନ୍ନ ସ୍ଥାନରେ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମର ନ୍ୟସ୍ତସ୍ୱାର୍ଥ ସଂପନ୍ନ ବ୍ୟକ୍ତିମାନେ ଶହଶହ ଏକର ଜଙ୍ଗଲ ଜମି ଜବରଦଖଲ କରି ଏଥିରେ ଥିବା ଗଛକାଟି ଚାଷଜମିରେ ପରିଣତ କରୁଥିବା ନେଇ ଅଭିଯୋଗ ହେଉଥିବାବେଳେ ଶହ ଶହ ଏକର ଜଙ୍ଗଲ ଧ୍ୱଂସ ପାଉଛି । ଏଥିଯୋଗୁଁ ସର୍ବାଧିକ ପ୍ରଭାବିତ ହେଉଛନ୍ତି ପ୍ରାକୃତିକ ସମ୍ପଦ ଭରା ଜଙ୍ଗଲ କୋଳରେ ବଢ଼ିଥିବା ଓ ଜଙ୍ଗଲକୁ ମା ର ସମ୍ମାନ ଦେଉଥିବା ଏବଂ ଜଙ୍ଗଲଜାତ ଦ୍ରବ୍ୟ ଯଥା ମହୁ, ଲାଖ, ଝୁଣା, ମହୁଲ, ଖଲିପତ୍ର ପ୍ରଭୃତି ସଂଗ୍ରହକରି ଗୁଜୁରାଣ ମେଣ୍ଟାଉଥିବା ଆଦିବାସୀମାନେ । କିଛି ଖଳ ପ୍ରକୃତିର ଲୋକ ଜଙ୍ଗଲ ଜମିକୁ ଜବରଦଖଲ କରି ଗଛ କାଟି ପଦା କରିଦେଇଥିବା ଓ ଏଥିନେଇ ପ୍ରଭାବିତ ହେଉଥିବା ନେଇ ଅଭିଯୋଗ ଆଣିଛନ୍ତି ନୟାଗଡ଼ ଜିଲ୍ଲା, ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ପଞ୍ଚାୟତର ଆଦିବାସୀ ବହୁଳ “ସାନହାମରା” ଗ୍ରାମର ଗ୍ରାମବାସୀ ମାନେ । ଏହି ଜଂଗଲ ର ସୁରକ୍ଷା ପାଇଁ ପ୍ରଶାସନ ର ଦ୍ୱାରସ୍ଥ ହୋଇ ନୂଆଗାଁ ତହସିଲଦାରଙ୍କୁ ଏବିଷୟରେ ଲିଖିତ ଅଭିଯୋଗ କରିଛନ୍ତି । ଏଥିସହିତ ମାଳିସାହି ଫାଣ୍ଡିରେ ମଧ୍ୟ ଅଭିଯୋଗ କରିଛନ୍ତି । ସରକାରୀ ଜଙ୍ଗଲ ଜମିକୁ ଜବରଦଖଲକାରୀଙ୍କ କବଳରୁ ମୁକ୍ତ କରାଯିବା ଓ ସରକାରୀ ଜମି ଜବରଦଖଲକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିବେଦନ କରିଛନ୍ତି । ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହିପରି ଶହ ଶହ ଏକର ଜଙ୍ଗଲ, ଗ୍ରାମ୍ୟଜଙ୍ଗଲ, ଗୋଚର ଓ ଅନାବାଦୀ କିସମର ସରକାରୀ ଜମି ନ୍ୟସ୍ତ ସ୍ୱାର୍ଥ ସମ୍ପର୍ନ୍ନ ବ୍ୟକ୍ତି ଜବରଦଖଲ କରି କବଜା କରିନେଇଥିବା ସାଧାରଣରେ ଅଭିଯୋଗ ହେଉଥିବାବେଳେ ଜଙ୍ଗଲ ବିଭାଗ ଓ ପ୍ରଶାସନିକ ଅଧିକାରୀମାନେ ସବୁ ଜାଣି କିଛି ନଜାଣିବା ପରି ରହୁଥିବା ନେଇ ବୁଦ୍ଧିଜୀବୀ ମହଲରେ ସନ୍ଦେହ ସୃଷ୍ଟି ହେଉଛି । ଆଦିବାସୀଙ୍କ ଜୀବନ ଜୀବିକାର ସୁରକ୍ଷା ,ଜଙ୍ଗଲ ଓ ଜଙ୍ଗଲଜମିର ସୁରକ୍ଷା ସହିତ ନୂଆଗାଁ ବ୍ଳକର ବିଭିନ୍ନ ପଞ୍ଚାୟତରେ ଜବରଦଖଲ କାରୀଙ୍କ କବଜାରେ ଥିବା ଶହ ଶହ ଏକର ସରକାରୀ ଜମିର ସୁରକ୍ଷା ପ୍ରତି ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛି , ତାହା ଦେଖିବାକୁ ବାକି ରହିଲା ।

hiranchal ad1
Leave A Reply

Your email address will not be published.

19 + 14 =