କବୟିତ୍ରୀ ଗାୟତ୍ରୀବାଳା ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

0 69

ଭୁବନେଶ୍ୱର : ୨୦୨୨ ବର୍ଷ ପାଇଁ ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଥିବା ଓଡ଼ିଶାର ସୁନାମଧନ୍ୟା ତଥା ଲବ୍ଧ ପ୍ରତିଷ୍ଠିତ କବୟିତ୍ରୀ ଡ.ଗାୟତ୍ରୀବାଳା ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାକ୍ଷାତ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ପୁରସ୍କାର ଜିତି ଗାୟତ୍ରୀବାଳା ଓଡ଼ିଶା ପାଇଁ ଗୌରବ ଓ ସମ୍ମାନ ଅର୍ଜନ କରିଛନ୍ତି । ତାଙ୍କ କ୍ୟାରିୟରରେ ଏହି ପୁରସ୍କାର ଏକ ବିରାଟ ମାଇଲଖୁଣ୍ଟ ବୋଲି ସେ କହିଛନ୍ତି । ଗାୟତ୍ରୀବାଳା ହେଉଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଧର୍ମପତ୍ନୀ । ଏହି ଅବସରରେ ମାନସ ମଙ୍ଗରାଜ ଓ ତାଙ୍କ ପୁତ୍ର ମନୀତ ମଙ୍ଗରାଜ ଉପସ୍ଥିତ ଥିଲେ ।

hiring


ଉଲ୍ଲେଖଯୋଗ୍ୟ ଯେ ଗତ ଗୁରୁବାର ନୂଆଦିଲ୍ଲୀରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଅକାଦେମିର କାର୍ଯ୍ୟକାରିଣୀ ବୈଠକରେ ୨୦୨୨ ବର୍ଷର ଅକାଦେମି ପୁରସ୍କାର ଘୋଷଣା କରାଯାଇଥିଲା । ଓଡିଆରେ କବିତା ସଙ୍କଳନ ‘ଦୟାନଦୀ’ ପାଇଁ ସାହିତ୍ୟ ଅକାଦେମି ପୁରସ୍କାର ପାଇଁ ସୁପରିଚିତ କବୟିତ୍ରୀ ଗାୟତ୍ରୀବାଳାଙ୍କୁ ମନୋନୀତ କରାଯାଇଛି । ସଂକଳନର କବିତାଗୁଡିକ କଳିଙ୍ଗ ଯୁଦ୍ଧ ଉପରେ ଆଧାରିତ । ଏଥିରେ ଉତ୍ସର୍ଗ ଓ ପରିଶିଷ୍ଟକୁ ମିଶାଇ ୬୪ଟି କବିତା ରହିଛି । ଜଗତସିଂହପୁର ଜିଲ୍ଲାର ସାଦେଇପୁରରେ ୧୯୭୭ରେ ଜନ୍ମଗ୍ରହଣ କରିଥିବା ଡ. ପଣ୍ଡାଙ୍କର ସାହିତ୍ୟର ବିଭିନ୍ନ ବିଭାଗରେ ୨୫ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଛି । ସେଥିରେ ରହିଛି ୧୨ଟି କବିତା ସଂକଳନ, ଦୁଇଟି ଗଳ୍ପ ସଂକଳନ, ଦୁଇଟି ଉପନ୍ୟାସ ଓ ଗୋଟିଏ ପ୍ରବନ୍ଧ ସଂକଳନ । ହିନ୍ଦୀ ଓ ଇଂରାଜୀ ଭାଷାରେ ତାଙ୍କର ୮ଟି ପୁସ୍ତକ ଅନୂଦିତ ହୋଇଛି । ତାଙ୍କର କବିତା ସଂକଳନ ମଧ୍ୟରେ ରହିଛି ଆହତ ପ୍ରତିଶ୍ରୁତି, ଅସ୍ପଷ୍ଟ ଈଶ୍ୱର, ଅଣାୟତ୍ତ, ଗାଁ, ଯେତିକି ଦିଶୁଚି ଆକାଶ, ଆଖି ନାଇଁ କାନ ନାଇଁ, ଏ ରାତିର ଯେତେ ତାରା, ବାଘ, ଦୟାନଦୀ, ମହେଞ୍ଜଦାରୋ, ନିର୍ବାଚିତ କବିତା ଓ ପ୍ରାର୍ଥନାର ଶବ୍ଦପରି ।

ସେ ୨୦୧୧ରେ ‘କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାର’ ପାଇଛନ୍ତି । ଏହାସହ ସେ ରାଜ୍ୟ ଯୁବ ପୁରସ୍କାର, ରାଜୀବ ଗାନ୍ଧୀ ସଦ୍‌ଭାବନା ପୁରସ୍କାର, ଉତ୍କଳ ସାହିତ୍ୟ ସମାଜ ଯୁବ ସାହିତ୍ୟିକ ସମ୍ମାନ,ଶାରଳା କାବ୍ୟ ସମ୍ମାନ,କାଦମ୍ବିନୀ କବିତା ସମ୍ମାନ,ଫକୀର ମୋହନ ସାହିତ୍ୟ ସମ୍ମାନ, ବସନ୍ତ ମୁଦୁଲି କବିତା ସମ୍ମାନ, ମନ୍ଥନ ଯୁବ କବି ସମ୍ମାନ, ଲେଖାଲେଖି ଯୁବକବି ସମ୍ମାନ, ଟାଇମ୍‌ ପାସ୍‌ ସ୍ୱୟଂଶ୍ରୀ ସମ୍ମାନ, ତାଳପଦେଶ୍ୱରୀ ସାରସ୍ୱତ ସମ୍ମାନ, ଇସ୍ତାହାର କବିତା ସମ୍ମାନ, ଦୀପକ ମିଶ୍ର କବିତା ସମ୍ମାନ ଆଦି ବହୁ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 × 5 =