ଡ୍ରାଇଭର ରଂଜିତଙ୍କ ମହାନତା:ନିଜ ଟଙ୍କାରେ ତିଆରି କଲେ ୩ଟି ଅସ୍ଥାୟୀ ପୋଲ ଓ ରାସ୍ତା

0 64

ରାୟଗଡା: ବୃତ୍ତିରେ ଡ୍ରାଇଭର । ଦିନଟିଏ କାମକୁ ନ ଗଲେ ଘରେ ଚୁଲି ଜଳେନି । ମୁଣ୍ଡ ଉପରେ ବୃଦ୍ଧ ବାପା, ମାଆଙ୍କ ସହ ପତ୍ନୀ ଓ ପିଲାଛୁଆଙ୍କ ବୋଝ । ଗରିବୀର କଷାଘାତ ସତ୍ତେ୍ୱ ନିଜ ଗାଁର ଦୁଃଖ ଦୂର ପାଇଁ ବୃତ୍ତି ଛାଡି ସ୍ତ୍ରୀର ସୁନା ବନ୍ଧକ ରଖି ନଦୀ ଉପରେ ୩ଟି ଅସ୍ଥାୟୀ ପୋଲ ଓ ୪ କିମି ରାସ୍ତା ନିର୍ମାଣ କରି ଅଞ୍ଚଳବାସୀଙ୍କ ପାଇଁ ଦେବଦୂତ ପାଲଟିଛନ୍ତି କାଶୀପୁର ବ୍ଲକ୍‌ ଡଙ୍ଗାସିଲ୍‌ ପଞ୍ଚାୟତ ଗୁଞ୍ଜରାମପଞ୍ଜରା ଗ୍ରାମର ଡ୍ରାଇଭର୍‌ ରଞ୍ଜିତ୍‌ ନାଏକ । ଅସ୍ଥାୟୀ ପୋଲ ଏବଂ ରାସ୍ତା ନିର୍ମାଣ ପରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସହ ଯୋଡି ହୋଇଛି ରାୟଗଡା । ଏଥି ସହିତ କାଶୀପୁର ବ୍ଲକର ୮ ଖଣ୍ଡ ଗ୍ରାମବାସୀ ସମାଜର ମୁଖ୍ୟସ୍ରୋତରେ ସାମିଲ୍‌ ହୋଇଛନ୍ତି ।
କାଶୀପୁର ବ୍ଲକ୍‌ ଡଙ୍ଗାସିଲ୍‌ ପଞ୍ଚାୟତ ଗୁଞ୍ଜରାମପଞ୍ଜରା ଗ୍ରାମରେ ବସବାସ କରି ଆସୁଛନ୍ତି ୧୨୦ ପରିବାର । ଗାଁକୁ ଲାଗି ବହି ଯାଉଛି ବିଛଳା ନଦୀ । ପାହାଡିଆ ଅଞ୍ଚଳରେ ଥିବା ନଦୀରେ ବର୍ଷ ତମାମ ପାଣି ରହୁଥିବାରୁ ଯାତାୟତରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

hiring

ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ବହୁବାର ପ୍ରଶାସନର ଦ୍ୱାରସ୍ଥ ହେବା ପରେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ । ବିଛଳା ନଦୀ ଯୋଗୁ ଲୋକେ ପଞ୍ଚାୟତ କାର୍ଯ୍ୟାଳୟଠୁ ଆରମ୍ଭ କରି ବ୍ଲକ୍‌ କାର୍ଯ୍ୟାଳୟ ମେଡିକାଲ୍‌, ସ୍କୁଲକୁ ନିୟମିତ ଭାବେ ଯାଇ ପାରୁନଥିଲେ । ବର୍ଷା ଦିନେ ଗ୍ରାମବାସୀ ସଂପୂର୍ଣ୍ଣ ଭାବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହୁଥିଲେ । ଗ୍ରାମର ଯୁବକ ରଞ୍ଜିତ୍‌ ନାଏକ ଡ୍ରାଇଭର ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ବୃତ୍ତିରୁ ଘରକୁ ଫେରିବା ବେଳେ ନଦୀ ପାଇଁ ହଇରାଣ ହରକତ ହେଉଥିଲେ । ପ୍ରଶାସନ ପୋଲ ନିର୍ମାଣ ଦିଗରେ ପଦକ୍ଷେପ ନେଉନଥିବାରୁ ବର୍ଷା କମିବା ପରେ ନିଜ ଉଦ୍ୟମରେ ପୋଲ ନିର୍ମାଣ କରିବା ପାଇଁ ଉଦ୍ୟମ କରିଥିଲେ । ଏଥି ପାଇଁ ତାଙ୍କୁ ଡ୍ରାଇଭର କାମରୁ ଅବ୍ୟାହତି ନେବାକୁ ପଡିଥିଲା ।

ନଦୀର ୩ଟି ସ୍ଥାନରେ ଅସ୍ଥାୟୀ ପୋଲ ନିର୍ମାଣ କରିବାକୁ ରଞ୍ଜିତ୍‌ ଯୋଜନା କରି ବାପାଙ୍କ ସହଯୋଗରେ ବାଉଁଶ ଓ କାଠ ସଂଗ୍ରହ ଆରମ୍ଭ କରିଥିଲେ । ଆବଶ୍ୟକ କାଠ ଓ ବାଉଁଶ ନ ମିଳିବା ପରେ ରଞ୍ଜିତ୍‌ ନିଜ ସ୍ତ୍ରୀଙ୍କ ସୁନାକୁ ବନ୍ଧକ ରଖି ୭୦ ହଜାର ଟଙ୍କାର କାଠ ଓ ବାଉଁଶ କିଣିଥିଲେ । ଏହା ପରେ ବାପା, ପୁଅ ମିଶି ନଦୀ ଉପରେ ଆରମ୍ଭ କରିଥିଲେ ପୋଲ ନିର୍ମାଣ । ପାଖାପାଖି ୩ ମାସର ଅକ୍ଲାନ୍ତ ପରିଶ୍ରମ ପରେ ଏବେ ବିଛଳା ନଦୀ ଉପରେ ୩ଟି ଅସ୍ଥାୟୀ ପୋଲ ନିର୍ମାଣ ହୋଇଛି । ଏଥି ସହିତ ୪ କିମି ରାସ୍ତା ମଧ୍ୟ ନିର୍ମାଣ କରିଛନ୍ତି ରଞ୍ଜିତ୍‌ ଓ ତାଙ୍କ ବାପା । ନିଜେ ହାତରେ କୋଡି, କୋଦାଳ ଧରି ପାହାଡିଆ ରାସ୍ତାକୁ ସମତୁଲ୍‌ କରିବା ପରେ ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲା ସହ ଯୋଡି ହୋଇଛି ରାୟଗଡା । ଅଧିକାଂଶ ଲୋକ ବର୍ତ୍ତମାନ ଇନ୍ଦ୍ରାବତୀ ଏବଂ କଳାହାଣ୍ଡି ଜିଲ୍ଲାକୁ ଯିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି । ବୃତ୍ତିରେ ଡ୍ରାଇଭର ରଞ୍ଜିତଙ୍କ ଏପରି ମହାନ୍‌ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

hiranchal ad1
Leave A Reply

Your email address will not be published.

17 + twenty =