ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

0 126

ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅଧିନସ୍ଥ କୁମ୍ଭାରମୁଣ୍ଡା ଫରେଷ୍ଟ ସେକ୍ସନରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ବିବରଣୀ ଅନୁଯାୟୀ ତରଭା ବ୍ଲକ ଚାରଭଟା ଗ୍ରାମପଞ୍ଚାୟତ ଅଧିନସ୍ଥ ସୁକ୍‌ଲେସର ଗ୍ରାମର ହର ରଣା (୬୫) ଧାନ ଖଳାରେ ତାଙ୍କର ଧାନ ଅମଳ କରି ବସ୍ତାରେ ଭର୍ତ୍ତି କରିବା ପରେ କୌଣସି କାରଣରୁ ଘରକୁ ନେଇ ପାରି ନଥିଲେ । ଧାନ ସବୁ ବସ୍ତାରେ ଭର୍ତ୍ତି ହୋଇ ଖଳାରେ ପଡ଼ି ରହିଥିଲା । ତେଣୁ ହର ରଣା ତାଙ୍କର ପୁତ୍ର ନିଲୁ ରଣାଙ୍କ ସହିତ ଧାନ ଜଗିବା ପାଇଁ ରାତ୍ରରେ ଖଳାରେ ଶୋଇଥିଲେ । ଭୋର ୩ ଘଣ୍ଟା ସମୟରେ ହାତୀ ପଲ ଉକ୍ତ ଖଳାରେ ପହଞ୍ଚି ଥିଲେ । ହାତୀମାନଙ୍କୁ ଦେଖି ନିଲୁ ରଣା ଜୀବନ ବିକଳରେ ଦୌଡ଼ି ପଳାଇ ଯାଇଥିବା ବେଳେ ହର ରଣା ହାତୀ ହାବୁଡରେ ପଡି ଯାଇଥିଲେ । ହାତୀ ତାଙ୍କୁ ଗୋଡ଼ରେ ଦଳି ଦେଇଥିଲା । ଫଳରେ ହର ରଣାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ପରିବାର ଲୋକେ ସକାଳୁ ଖଳାକୁ ଯାଇ ହର ରଣାକୁ ହାତୀ ଦଳି ମାରିଦେଇଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ ।ଖବର ପାଇ ବନବିଭାଗର ଏସିଏଫ ପ୍ରଫୁଲ୍ଲ କୁମାର ଧରୁଆ, ରେଞ୍ଜର ମନୋରଞ୍ଜନ ବାଘା ଓ କୁମ୍ଭାରମୁଣ୍ଡା ଫରେଷ୍ଟର ଦିନେଶ ମାଝୀ ପ୍ରମୁଖ ବିଭାଗିୟ କର୍ମଚାରୀ ମାନଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେବା ସହିତ ଶବକୁ ଜବତ କରି ତରଭା ଡାକ୍ତରଖାନାକୁ ପଠାଇ ଥିଲେ । ଖବରପାଇ କମସରା ଫାଣ୍ଡି ଅଧିକାରୀ ଗଜାନନ ବେହେରା ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତି ଯାଞ୍ଚ କରିବା ସହିତ ତରଭାଥାନାକୁ ଖବର ଦେଇଥିଲେ । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଓ ଏହାର ତଦନ୍ତ ଦାୟିତ୍ୱ କମସରା ଫାଣ୍ଡି ଅଧିକାରୀ ଗଜାନନ ବେହେରା କରୁଥିବା ଆଇଆଇସି ସୁବ୍ରତ କୁମାର ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ଏହି ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ପଚାରିବାରୁ ଏସିଏଫ ଶ୍ରୀ ଧରୁଆ ହାତୀ ଆକ୍ରମଣରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ସରକାରୀ ସହାୟତା ପ୍ରଦାନ ପାଇଁ ଯୋଜନା ଥିବା ବେଳେ ମୃତ ବ୍ୟକ୍ତିର ଅନ୍ତ୍ୟେଷ୍ଟି କ୍ରିୟା ସମୟରେ ସଙ୍ଗେ ସଙ୍ଗେ ଉକ୍ତ ରାଶିର ଦଶ ପ୍ରତିଶତ ଅର୍ଥାତ୍‌ ୪୦ ହଜାର ଟଙ୍କା ପ୍ରଦାନ କରାଯିବ ଓ ଅବଶିଷ୍ଟ ୩ ଲକ୍ଷ ୬୦ ହଜାର ଟଙ୍କା ସରକାରୀ ନିୟମ ଅନୁସାରେ ପରେ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ । ଏହି ଅଞ୍ଚଳ ହାତୀ ଉପଦୃତ ଅଞ୍ଚଳ ହୋଇଥିବାରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ହାତୀ ମାନଙ୍କ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଉଥିବା ଫରେଷ୍ଟର ଶ୍ରୀ ମାଝୀ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଉପଦ୍ରବ କରୁଥିବା ଏହି ୧୦ ଟିକିଆ ହାତୀ ପଲ ମଧ୍ୟରେ ଗୋଟିଏ ଅଣ୍ଡିରା ହାତୀ ଥିବା ବେଳେ ୬ ଗୋଟି ମାଇଁ ହାତୀ ଓ ୩ ଗୋଟି ଛୋଟ ଛୋଟ ହାତୀ ରହିଥିବା ଫରେଷ୍ଟର ଶ୍ରୀ ମାଝୀ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

10 + eight =