ଭୁବନେଶ୍ୱର: ମାତ୍ର ୩୫୦ ଟଙ୍କା ପାଇଁ ଜଣେ ବନ୍ଧୁ ଆଉ ଜଣେ ବନ୍ଧୁଙ୍କର ଜୀବନ ନେବା ପାଇଁ ଉଦ୍ୟମ କରିବା ଘଟଣା ଚର୍ଚ୍ଚା ସୃଷ୍ଟି କରିଛି । ଏକ ପରିବା କଟା ଛୁରିରେ ସାଙ୍ଗର ବେକକୁ କାଟି ଦେବାରୁ ସେ ଗୁରୁତର ହୋଇଥିବା ଜଣାପଡ଼ିଛି । ଏଭଳି ଅଭାବନୀୟ ଘଟଣା ରେଣ୍ଟାଲ କଲୋନି ବେହେରା ବସ୍ତିରେ ଘଟିଛି ।
ମିଳିଥିବା ସୂଚନା ଅନୁଯାୟୀ, ଆହତ ଯୁବକ ହେଉଛି ରେଣ୍ଟାଲ କଲୋନି ବେହେରା ବସ୍ତିର ଲକ୍ଷ୍ମଣ ସ୍ୱାଇଁ । ସେ ଗୁରୁତର ହୋଇ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ଆକ୍ରମଣକାରୀ ଅଭିଯୁକ୍ତ ସହିଦ ଲକ୍ଷ୍ମଣ ନାୟକ ବେହେରା ବସ୍ତିର ଅଜୟ ନାୟକ ଓରଫ ଅଜୁକୁ ନୂଆପଲ୍ଲୀ ପୁଲିସ ଗିରଫ କରିଛି । ମିଳିଥିବା ସୂଚନା ମୁତାବକ ଅଜୁ ପାଖରୁ ପ୍ରାୟ ମାସକ ତଳେ ଲକ୍ଷ୍ମଣ ୩୫୦ ଟଙ୍କା ଧାର ନେଇଥିଲା । ଅନେକ ବାର ଟଙ୍କା ମାଗୁଥିଲେ ସୁଦ୍ଧା ଲକ୍ଷ୍ମଣ ଟଙ୍କା ଫେରସ୍ତ କରୁନଥିଲା ।
ସେଥିପାଇଁ ଅଜୁ ଆଜି ଉତ୍ୟକ୍ତ ହୋଇ ଘରେ ଥିବା ଏକ ପରିବା କଟା ଛୁରି ନେଇ ଲକ୍ଷ୍ମଣକୁ ଟଙ୍କା ମାଗିବାକୁ ଯାଇଥିଲା । ଲକ୍ଷ୍ମଣ ପାଖରେ ଟଙ୍କା ନଥିବା କହି ଅଜୁକୁ ସନ୍ଧ୍ୟା ଆସିବାକୁ କହିଥିଲା । ମାତ୍ର ଲକ୍ଷ୍ମଣର ନା’ ଶବ୍ଦ ଅଜୁକୁ ହଜମ ନ ହେବାରୁ ପାଖର ଥିବା ପରିବା କଟା ଛୁରିରେ ତା’ ବେକକୁ କାଟି ପକାଇଥିଲା । ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ଲକ୍ଷ୍ମଣ ହସ୍ପିଟାଲ ଯାଇଥିବା ବେଳେ ଅଜୁକୁ ନୂଆପଲ୍ଲୀ ପୁଲିସ ଗିରଫ କରିଥିବା ଜଣାପଡ଼ିଛି ।