ଲଗାଣ ବର୍ଷା ଯୋଗୁଁ ଚାଷଜମି ଜଳମଗ୍ନ, ଶଗଡିଆ ସେତୁ ଉପରେ ୨ ଫୁଟ ବନ୍ୟାଜଳ ପ୍ରବାହିତ ହରଭଙ୍ଗା-ଚାରିଛକ ଯୋଗାଯୋଗ ବିଚ୍ଛିନ୍ନ, ମହାନଦୀରେ ଘାଇ

0 734

ହରଭଙ୍ଗା,୨୬/୮- ଦୁଇଦିନ ଧରି ହରଭଙ୍ଗା ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଓ ମହାନଦୀର ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ମହାନଦୀ ଜଳ ବଢିବାରେ ଲାଗିଛି । ଫଳରେ ହରଭଙ୍ଗା ବ୍ଲକର ହରଭଙ୍ଗା, କୁଶଙ୍ଗ, ଧଳପୁର, ସଙ୍କୁଲେଇ, ମଥୁରା, ସାଂପୋଚ ଆଦି ପଞ୍ଚାୟତର ୩୩ଟି ରାଜସ୍ୱ ଗ୍ରାମର ନଦୀକୂଳିଆ ଲୋକଙ୍କ ଏକରଏକର ଚାଷଜମି ଜଳମଗ୍ନ ହୋଇଛି । ଅନବରତ ବର୍ଷା ଲାଗି ରହିଥିବାରୁ ଲୋକମାନେ ଘରୁ ବାହାରକୁ ବାହାରି ପାରୁନାହାନ୍ତି । ହରଭଙ୍ଗା ନଦୀକୂଳରେ ଦୁଇଟି ଘାଇ ହେବା ଫଳରେ ବନ୍ୟାଜଳ ଗାଁ ମୁହାଁ ହୋଇ ଚାଷଜମିକୁ ଜଳମଗ୍ନ କରାଇଛି । ସେହିପରି ବୌଦ୍ଧ ପୂର୍ତ୍ତବିଭାଗର ହରଭଙ୍ଗା-ଚାରିଛକ ରାସ୍ତାରେ ଥିବା ଶଗଡିଆ ସେତୁ ଉପରେ ୨ଫୁଟ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ହରଭଙ୍ଗା-ଚାରିଛକକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ସେହିପରି ହରଭଙ୍ଗା-ବୌଦ୍ଧ ଜଗନ୍ନାଥ ସଡକର ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଲଗାଣବର୍ଷାରେ ପାହାଡିଆରୁ ବନ୍ୟାଜଳ ପ୍ରବଳ ବେଗରେ ଗଡିଆସି ଜମିଗୁଡିକର ହୁଡା ଭାଙ୍ଗିଯାଇଛି । ବନ୍ୟାଜଳରେ କୁଶଙ୍ଗ ପଞ୍ଚାୟତର ମାରଡାଗାଁଟି ପାଣିଘେରରେ ରହିଛି । ମହାନଦୀ ବନ୍ୟାଜଳ ବଢୁଥିବାରୁ ନଦୀକୂଳିଆ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଲଗାଣ ବନ୍ୟାରେ ବହୁ ଚାଳଘର ଭାଙ୍ଗିଯାଇଛି । ବନ୍ୟା ଓ ଲଗାଣ ବର୍ଷା ଯୋଗୁଁ ହରଭଙ୍ଗାରେ ବିଦ୍ୟୁତ ଓ ପାନୀୟଜଳ ଯୋଗାଣ ଠପ୍‌ ହୋଇଯାଇଛି । ଲଗାଣ ବର୍ଷାରେ କ୍ଷୁଦ୍ରଜଳସେଚନ ବିଭାଗର ଶଗଡିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର କେନାଲ ଗୁଡିକରେ ଘାଇ ହେବାସହ ଭାଙ୍ଗିଯାଇଛି । ବନ୍ୟାଯୋଗୁଁ ବିଶେଷଭାବେ ଚାଷଜମି କ୍ଷତିଗ୍ରସ୍ତ ହୋଇଛି ।

hiranchal ad1
Leave A Reply

Your email address will not be published.

12 + 14 =