ହରଭଙ୍ଗା ୨୨ା୭:- .ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚାୟତ ଲୁଣିବାହାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୮ ଜଣ ଛାତ୍ରଛାତ୍ରୀ ଖରାରେ ଠିଆହୋଇ ଅଚେତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଗତକାଲି ୫ମ ଶ୍ରେଣୀର ଜଣେ ଛାତ୍ରକୁ ଦୁଇଜଣ ଛାତ୍ରଛାତ୍ରୀ କୋଣସି କାରଣରୁ ବାଡେଇ ଥିଲେ । ଏ ବିଷୟରେ ଛାତ୍ର ଜଣକ ନିଜ ଘରକୁ ଯାଇ ପରିବାର ଲୋକଙ୍କୁ ଜଣାଇଥିଲା । ତେବେ ପରିବାର ଲୋକ ଆଜି ସକାଳୁ ବିଦ୍ୟାଳୟକୁ ଆସି ବିଦ୍ୟାଳୟ ଫାଟକରେ ତାଲା ପକାଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବାହାରେ ଅଟକ ରଖିଥିଲେ । ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଅନ୍ୟ ଛାତ୍ରଛାତ୍ରୀଙ୍କ ଅଭିିଭାବକମାନେ ଉକ୍ତ ଯୁବକଙ୍କୁ ଦୀର୍ଘ ୨ ଘଣ୍ଟା ବୁଝାଇବା ପରେ ବିଦ୍ୟାଳୟର ତାଲା ଖୋଲାଯାଇଥିଲା । ଦୀର୍ଘ ୨ ଘଣ୍ଟା ଧରି ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ବାହାରେ ଠିଆ ହେବାରୁ ୮ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଯିବାରୁ ସମସ୍ତଙ୍କୁ ବିଦ୍ୟାଳୟର ଶିକ୍ଷକ ପୁରୁଣା କଟକ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ସମସ୍ତଙ୍କ ପ୍ରାଥମିକ ଚିକିତ୍ସା କରିଥିବା ବେଳେ ସମସ୍ତେ ସୁସ୍ଥଥିବା ସୂଚନା ମିଳିଛି ।