ହରଭଙ୍ଗା,୪/୩:- ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା ଆଡେଣିଗଡ ଫାଣ୍ଡି ଅଧିନସ୍ତ ମାଧପୁର ବନଦୁର୍ଗା ମନ୍ଦିର ନିକଟରେ ଶନିବାର ପୂର୍ବାହ୍ନରେ ଏକ ଟାଟା ଏସିକୁ ଟ୍ରକ ଧକ୍କା ଦେବା ଫଳରେ ଟାଟାଏସି ଗାଡିରେ ଥିବା ଯାତ୍ରୀ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ବେଳେ ଦୁର୍ଘଟଣାକୁ ନେଇ ୫ଘଣ୍ଟା ପର୍ଯ୍ୟନ୍ତ ଜାତୀୟ ରାଜପଥ ଅବରୋଧ ହୋଇଥିଲା । ସୂଚନା ମତେ ମୃତ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ମୃତକ ଗୋଲକ ବେହେରା ଆଡେଣିଗଡ ଗ୍ରାମର ହୋଇଥିବାବେଳେ ସେ କୌଣସି କାର୍ଯ୍ୟରେ ମାଧପୁର ଯାଇ ନିଜ ଘରକୁ (ଓଡି ୧୫ଡି ୮୬୭୨) ଟାଟା ଏସି ଗାଡିରେ ଫେରୁଥିବା ସମୟରେ ୫୭ନମ୍ବର ଜାତୀୟ ରାଜପଥ ମାଧପୁରସ୍ଥିତ ବନଦୁର୍ଗା ମନ୍ଦିର ନିକଟରେ ବିପରୀତ ଦିଗରୁ ଆସୁଥିବା (ଓଡି ୦୭ୟୁ୫୪୦୩) ନାମକ ଟ୍ରକ ବେପାରୁଆ ଗାଡି ଚାଳନା ପାଇଁ ଟ୍ରକଟି ଟାଟା ଏସିକୁ ଧକ୍କା ଦେଇଥିଲା ଫଳରେ ଟାଟା ଏସିର ସମ୍ମୁଖ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ଗାଡିରେ ଥିବା ଗୋଲେଖ ବେହେରାଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ବଡ଼ ଭାଇ ଅଲେଖ ବେହେରା ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଁଚି ଉଭୟ ଗାଡିକୁ ଜବତ କରିବାସହ ଏକ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇଥିବା ଜଣାପଡିଛି । ଅନ୍ୟପଟେ ଦୁର୍ଘଟଣାକୁ ନେଇ ପରିବାର ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ମୃତକଙ୍କ ପରିବାରଙ୍କ କ୍ଷତିପୂରଣ ଦାବିରେ ୫ ଘଣ୍ଟା ରାସ୍ତା ଅବରୋଧ କରିଥିଲେ । ଖବରପାଇ ହରଭଙ୍ଗା ତହସିଲଦାର ଶମ୍ଭୁ ଭୂଷଣ ମିଶ୍ର ପହଁଚି ମୃତକ ପରିବାରଙ୍କୁ ସମବେଦନା ଜଣାଇବାସହ ସରକାରଙ୍କ ରେଡକ୍ରସ ପାଣ୍ଠିରୁ ନଗଦ ୧୦ ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡିଛି ।