ଗଜରାଜ ସଙ୍କଟରେ, ବିଦ୍ୟୁତ ତାର ନେଉଛି ଜୀବନ

0 18

ଦନ୍ତା ‘ରାମୁ’ ର ମୃତ୍ୟୁକୁ ନେଇ ଆଲୋଡନ
ଭୁବନେଶ୍ୱର : ସରକାରଙ୍କ ଦ୍ଵାରା ଗଜରାଜଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ଅଥଚ ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ ଥମୁ ନାହିଁ । ହାତୀ କରିଡ଼ର ସୁରକ୍ଷା ବି କାମ ଦେଉନାହିଁ। ସଙ୍କଟରେ ପଡ଼ିଛନ୍ତି ଗଜରାଜ। ଆଜି ଭୁବନେଶ୍ୱର ନିକଟସ୍ଥ ଚନ୍ଦକା ଜଙ୍ଗଲରୁ ଦନ୍ତା ହାତୀ ରାମୁର ମୃତ୍ୟୁକୁ ନେଇ ଆଲୋଡନ ଖେଳିଯାଇଛି। ଚୁନୁକୂଳି ବସ୍ତି ନିକଟ ଚନ୍ଦକା ଜଙ୍ଗଲରୁ ହାତୀ ରାମୁର ମୃତଦେହକୁ ଉଦ୍ଧାର କରାଯାଇଛି। ଏହାକୁ ନେଇ ବିଦ୍ୟୁତ ବିଭାଗ ଓ ବନ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ବିଦ୍ୟୁତ୍ ବିଭାଗ ଠାରୁ ଖବର ପାଇବା ପରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ବ୍ୟବସ୍ଥା କରିଛି।

hiring

ସୂଚନା ଅନୁସାରେ କିଛି ଦିନ ତଳେ ରାମୁ ଚନ୍ଦକା ବାଡ ଭାଙ୍ଗି ସହର ମୁହାଁ ହୋଇଥିଲା । ଭୁବନେଶ୍ଵର ମୈତ୍ରୀ ବିହାର ଅଞ୍ଚଳରେ ହାତୀଟି ବୁଲୁଥିବା ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇପଡିଥିଲେ। ପରେ ବନ ବିଭାଗ ରାମୁକୁ ଚନ୍ଦକା ଜଙ୍ଗଲରେ ନେଇ ଛାଡିଥିଲା । ତେବେ ଆଜି ସକାଳୁ ଉକ୍ତ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି। କିନ୍ତୁ କେଉଁ ପରିସ୍ଥିତିରେ ଏପରି ଅଘଟଣ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ଅବଶ୍ୟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ହେବା ଓଡିଶା ରାଜ୍ୟରେ କିଛି ନୂଆ ଘଟଣା ନୁହେଁ। ଗତ ଦୁଇ ଦିନ ତଳେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ଚରଡପଶି ଗାଁ ଜଙ୍ଗଲରେ ୧୧ କେଭି ତାର ସଂସ୍ପର୍ଶରେ ଆସି ଏକ ମାଈ ହାତୀର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ବଣାଇଁରେ ରେଳ ଧାରଣାରେ କଟି ଛୁଆହାତୀର ମଧ୍ୟ ମୃତ୍ୟୁ ହୋଇଥିଲା। ଗତ ଜୁଲାଇ ୪ ତାରିଖରେ ସଦର ରେଂଜ ଫରେଷ୍ଟ ଅନ୍ତର୍ଗତ ଝାଙ୍କରବାହାଲି ଜଙ୍ଗଲରେ ବିଦ୍ୟୁତ ଆଘାତରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା ।

ଚଳିତ ମାସରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ସଂସଦରେ ପ୍ରଦାନ କରାଯାଇଥିବା ତଥ୍ୟ ଆଧାରରେ ୨୦୧୯-୨୦ ରୁ ୨୦୨୩-୨୪ ମଧ୍ୟରେ ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ମାମଲାରେ ଓଡିଶା ପ୍ରଥମରେ ରହିଛି। ବିଦ୍ୟୁତ ଆଘାତରେ ବିଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ୬୧ଟି ହାତୀ ପ୍ରାଣ ହରାଇଛନ୍ତି। ଚନ୍ଦକା ସମେତ ଘୁମୁସର, ଆଠଗଡ଼, ସମ୍ବଲପୁର, ରେଢ଼ାଖୋଲ ଭଳି ଏକାଧିକ ବନାଞ୍ଚଳରେ ହାତୀ କରିଡ଼ର, ବିଦ୍ୟୁତ୍ ଆଘାତ ଓ ରେଳ ଧକାରୁ ହାତୀଙ୍କ ଜୀବନ ରକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ଅଥଚ ଅଧିକାଂଶ ସମୟରେ ତାହା ବିଫଳ ହେଉଛି।

hiranchal ad1
Leave A Reply

Your email address will not be published.

two × five =