ନିର୍ବାଚନୀ ପ୍ରତିଶୃତି ପୂରଣକଲା ଯୋଡ଼ା ଟ୍ରକ ଓନର୍ସ ଆସୋସିଏସନ
ଯୋଡା,୨୨/୬- ମଣିଷ ଦୁନିଆରେ ଜନ୍ମ ନେଇଛି ସତ ହେଲେ କେତେବେଳେ କାହାର ଜୀବନ ଚାଲିଯିବ କେହି କହିପାରିବେ ନାହିଁ । ଶତ ଚେଷ୍ଟା କରିମଧ୍ୟ କେହି କେବେ କାହାକୁ ଜୀବନ ଦେଇପାରିବ ନାହିଁକି ନେଇବି ପାରିବନାହିଁ । ସବୁ ସେହି ସୃଷ୍ଟିକର୍ତ୍ତାଙ୍କ ନିର୍ଦ୍ଦେଶ । ସାରାବିଶ୍ୱକୁ କରୋନା ରୂପି ମହାମାରୀ କବଳିତ କରିରଖିଛି । ଅକାଳରେ ଯାଉଛି ଅନେକ ନିରୀହ ନିଷ୍କପଟ ଜୀବନ । ଏହିପରିପ୍ରେକ୍ଷୀରେ ମାନବିକତାର ପରିଚୟ ଦେଇଛି ଯୋଡ଼ାଟ୍ରକ ଓନର୍ସ ଆସୋସିଏସନ । ଏହି ଆସୋସିଏସଟି ଦୀର୍ଘଦିନରୁ ଟ୍ରକମାଲିକ ମାନଙ୍କର ସ୍ୱାର୍ଥରକ୍ଷା କରିବାରେ ସହାୟ ହୋଇଆସିଛି । ହେଲେ ୟାଭିତରେ ଅନେକଥର ନିର୍ବାଚନ ଆସିଛି , ଲୋକମାନଙ୍କୁ ଅନେକ ଗୁଡିଏ ପ୍ରତିଶୃତି ମଧ୍ୟ ଦିଆଯାଇଛି ହେଲେ ପରବର୍ତ୍ତୀ ସମୟରେ ସେଗୁଡିକ ପୂରଣ କରିବାରେ ଟାଳଟୁଳ ନୀତି ମଧ୍ୟ ଦେଖାଦେଇଛି । ଯାହା ଫଳରେ ସେଗୁଡିକ ସମ୍ପୁର୍ଣ୍ଣ କରାଯାଇନାହିଁ । ଏହି ସଂଘର ଗତ ନିର୍ବାଚନରେ କେତେକ ନୂଆ ଚେହେରା ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ସେମାନେ ଯଦି ଏହି ନିର୍ବାଚନରେ ନିର୍ବାଚିତ ହୁଅନ୍ତି ତେବେ ଗାଡି ମାଲିକ ମାନଙ୍କ ପାଇଁ ଦୁଇଟି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବେ ବୋଲି ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ । ପ୍ରଥମଟି ହେଲା ଆସୋସିଏସନରେ ପଞ୍ଜିକୃତ ଗାଡି ମାଲିକର ଆକସ୍ମିକ ମୃତ୍ୟୁ ଘଟେ ତେବେ ତାଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ସାହାଯ୍ୟ ପ୍ରଦାନ କରାଯିବ , ଅନ୍ୟଟି ହେଲା ପଞ୍ଜିକୃତ ସମସ୍ତ ଗାଡି ମାଲିକ ମାନଙ୍କର ୬ ଲକ୍ଷ ଟଙ୍କାର ବିମା ଯୋଜନା । କରୋନା କାଳରେ ଏଯାବତ ୬ ଜଣ ଗାଡିମାଲିକଙ୍କର କରୋନାଜନିତ ମୃତ୍ୟୁ ଘଟିଛି । ଯାହା ଟ୍ରକ ଓନର୍ସ ଆସୋସିଏସନର ସମସ୍ତ କର୍ମକର୍ତ୍ତାଙ୍କୁ ମର୍ମାହତ କରିଛି । ଏହାକୁ ନଜରରେ ରଖି ସୋମବାର ସକାଳୁ ସଂଘର ସମସ୍ତ କର୍ମକର୍ତ୍ତା ତଥା ସଭାପତି ମାତା ପ୍ରସାଦ ଜୟସ୍ୱାଲ , ସମ୍ପାଦକ ସୁଶାନ୍ତ କୁମାର ବାରିକ , କୋଷାଧ୍ୟକ୍ଷ ରାଜେଶ ରୋଷନ , ଉପ ସଭାପତି ବିଜୟ କୁମାର ଆପଟ , ଯୁଗ୍ମ ସମ୍ପାଦକ ଅଶୋକ କାରୁଆ ଏବଂ ପଙ୍କଜ ମେହେତା , ସଞ୍ଜୟ ଲାକରା , ନିରଞ୍ଜନ ଜେନା , ଲଳିତ ସାହୁ , ସୋଏବ ଖାନ ପ୍ରମୁଖ ମୃତ ସମସ୍ତ ଗାଡି ମାଲିକଙ୍କ ଘରକୁ ଯାଇ ପ୍ରତ୍ୟେକଙ୍କୁ ୨ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିବା ଦେଖିବାକୁ ମିଳିଛି । ଅକାଳରେ ପ୍ରାଣ ହରାଇଥିବା ଟ୍ରକ ମାଲିକମାନେ ହେଲେ ଚମ୍ପୁଆ ବାସିନ୍ଦା ଅଜୟ ରାଜ , ସାନକରଞ୍ଜିଆ ବାସିନ୍ଦା ପ୍ରଶାନ୍ତ କୁମାର ଚୌଧୁରୀ , ଝୁମ୍ପୁରା ବାସିନ୍ଦା ସୁଜିତ କୁମାର ସାହୁ , ଯୋଡ଼ା ମାର୍କେଟର ବାସିନ୍ଦା ଜାହାଙ୍ଗିର ଖାନ ,ବାଂଶପାଣି ବାସିନ୍ଦା ରାଜକିଶୋର ପାତ୍ର , ବାଂଶପାଣିର ବାସିନ୍ଦା ବିଜୟ ମୋଦକ । ଏଭଳି ଏକ ବିପତ୍ତି ସମୟରେ ନିଜର ପ୍ରତିଶୃତି ରକ୍ଷା କରି ଇତିହାସ ସୃଷ୍ଟି କରିଥିବାରୁ ଉକ୍ତ ସଂଘରେ ପଞ୍ଜିକୃତ ସମସ୍ତ ଟ୍ରକ ମାଲିକମାନେ ସଂଘର ସମସ୍ତ କର୍ମକର୍ତ୍ତା ମାନଙ୍କୁ ସାଧୁବାଦ ଜଣାଇବା ସହିତ ପ୍ରତ୍ୟେକ କ୍ଷେତ୍ରରେ ସଂଘର ହାତମୁଠାକୁ ମଜବୁତ କରିବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି । ଆଗକୁ ସଂଘର ଏଭଳି ଆଭିମୁଖ୍ୟ ଜାରି ରହିଲେ ସାଧାରଣ ଲୋକଙ୍କଠାରୁ ଆରମ୍ଭକରି ଗାଡିମାଲିକମାନେ ଅନେକ ସମସ୍ୟାକୁ ସହଜରେ ସମାଧାନ କରିପାରିବେ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି ।