ଫୁଲବାଣୀ,୨/୯- କନ୍ଧମାଳ ଜିଲାର ପ୍ରାୟ ଦଶ ଜଣ ଡାକ୍ତରଙ୍କ ଡେପୁଟେସନ ବାତିଲ କରିବାକୁ ଦାବି କରିଛି ମିଳିତ ନାଗରିକ କମିଟି । ଦୀର୍ଘ ବର୍ଷ ହେବ ଦଶଟି ମେଡିସିନ ବିଶେଷଜ୍ଞ ପଦବୀ ଖାଲି ରହିବା ଫଳରେ ଗରିବ ଶ୍ରେଣୀର ଲୋକମାନେ ଖର୍ଚ୍ଚ ବହୁଳ ବାହାର ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ଯାଇପାରୁନାହାଁନ୍ତି । ମେଡିସିନ ବିଶେଷଜ୍ଞ ନ ଥିବାରୁ ଗରିବ ଶ୍ରେଣୀର ରେଫର ରୋଗୀମାନେଙ୍କ ମଧ୍ୟରୁ ଅଧିକାଂଶ ଗାଁରେ ଯାଇ ମୃତ୍ୟୁ ବରଣ କରନ୍ତି । ଗତ ଜୁଲାଇ ମାସରେ ବାଲିଗୁଡା ଓ ଫୁଲବାଣୀ ରୁ ୮ଜଣ ଯୋଗଦେବା ଦିନ ଡେପୁଟେସନରେ ଚାଲିଯାଇଛନ୍ତି । ଗତ କିଛି ଦିନ ଧରି ଡଃ ଅଜିତ କୁମାର ଦଳେଇ (ଚେଷ୍ଟ ଓ ଟିବି) ବିଭାଗର ହେଲେ ମଧ୍ୟ ଜଣେ ଭରସାଯୋଗ୍ୟ ଡାକ୍ତର ଭାବେ ମୁଖ୍ୟ ଚିକିତ୍ସାଳୟରେ ମେଡିସିନ ଦାୟିତ୍ୱ ତୁଲାଉଛନ୍ତି । ତାଙ୍କର ଇତି ମଧ୍ୟରେ ଭୁବନେଶ୍ୱର ଡେପୁଟେସନରେ ହୋଇଥିବା ଶୁଣିବାକୁ ମିଳୁଛି । ମିଳିତ ନାଗରିକ କମିଟି ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କ କନ୍ଧମାଳ ଗସ୍ତ ସମୟରେ ଏକ ଟିମ ଆଲୋଚନା କରିଥିଲେ ଏବଂ ଡାକ୍ତର ଅଭାବ ଥିବାରୁ କୌଣସି ଡାକ୍ତରଙ୍କ ରିଲିଭ ପୂର୍ବରୁ ମୁଖ୍ୟ ସଚିବଙ୍କୁ ଅବଗତ କରାଇବାକୁ ଜିଲାପାଳଙ୍କୁ ପରାମର୍ଶ ଦେଇଥିଲେ ।ବାଲିଗୁଡାରେ ୨୩ଜଣ ଡାକ୍ତରଙ୍କ ମଧ୍ୟରୁ ଅଛନ୍ତି ମାତ୍ର୪ଜଣ ଡାକ୍ତର ।ଏହା ବ୍ୟତୀତ ପୂର୍ବରୁ ଯେଉଁ ମାନେ ଡେପୁଟେସନରେ ବ୍ରହ୍ମପୁର, କଟକ, ଭୁବନେଶ୍ୱର, ବୁର୍ଲା ଯାଇଛନ୍ତି, ସେମାନେ ଫୁଲବାଣୀ ଓ ବାଲିଗୁଡା ଫେରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବ ପଦକ୍ଷେପ ନେବାକୁ ମିଳିତ ନାଗରିକ କମିଟି ପକ୍ଷରୁ ଡ ଅରୂପ ଜେନାଙ୍କ ନେତୃତ୍ୱରେ ଏକ ଟିମ ସିଡିଏମଓଙ୍କ ସହ ଆଲୋଚନା କରି ସମସ୍ୟାର ଯଥାଶୀଘ୍ର ସମାଧାନ କରିବାକୁ ଦାବି କରାଯାଇଛି । କନ୍ଧମାଳର ଅଧିକାଂଶ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିବାରୁ ,ପ୍ରାଇଭେଟ ହେଉ ବା ସରକାରୀ ବାହାରେ ଯାଇ ଚିକିତ୍ସିତ ହେବା ସମ୍ଭବ ପର ନୁହେଁ । ତେଣୁ କନ୍ଧମାଳ ଜିଲ୍ଲାବାସୀଙ୍କ ସରଳତା ସୁଯୋଗର ଦୁରୁପଯୋଗ କରି କନ୍ଧମାଳ ଜିଲ୍ଲାରେ ଏହି ୧୧ଜଣ ଡାକ୍ତର ନିଯୁକ୍ତି ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଜାଣିବା ଭଳି ଦେଖାଇ ଡେପୁଟେସନରେ ନେଇଯିବା ବଡ ଦୁଃର୍ଭାଗ୍ୟର ବିଷୟ । ଆଗାମୀ ଏକ ମାସ ମଧ୍ୟରେ ପୂର୍ବରୁ ଏବଂ ବର୍ତ୍ତମାନ ଡେପୁଟେସନ ଯାଇଥିବା ଡାକ୍ତରଙ୍କ ଡେପୁଟେସନ ରଦ୍ଧ କରି ସେମାନଙ୍କୁ ପୁନଃ ଫୁଲବାଣୀ ଓ ବାଲିଗୁଡା ଫେରାଇ ଆଣିବାର ବ୍ୟବସ୍ଥା କରାନଗଲେ ଜିଲାର ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବା ସହ ସିଡିଏମଓଙ୍କ କାର୍ଯାଳୟ ଘେରାଉକରି ତାଲା ପକାଇବାକୁ ବାଧ୍ୟହେବେ ବୋଲି ଦାବୀପତ୍ରରେ ଉଲ୍ଲେଖ ରହିଛି ।