କଣ୍ଟାବାଞ୍ଜି ,୨୮/୮- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ ଅବହେଳା ପାଇଁ ନବଜାତ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଆଖପାଖ ଅଂଚଳର ଏକମାତ୍ର ଚିକିତ୍ସା କେନ୍ଦ୍ର ହେବା ଯୋଗୁଁ ଅଞ୍ଚଳବାସୀଙ୍କ ଖାଲି ଡାକ୍ତର ପଦବୀ ପୁରଣ ଦାବୀ ପ୍ରତି କାହାରି ନିଘା ନାହିଁ । ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ଅତ୍ୟଧିକ ଭିଡ଼ ଓ ଜରୁରୀ ସମୟରେ ଚିକିତ୍ସା ପାଇଁ ଡାକ୍ତର ଅଭାବ ରହିଛି । ସରକାରୀ ଡାକ୍ତରମାନେ ଘରୋଇ କ୍ଳିନିକରେ ବେଶୀ ବ୍ୟସ୍ତ ରହୁଥିବା ମଧ୍ୟ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଅଭିଯୋଗକାରୀ ବେଲପଡା ବ୍ଲକ କରଲାବାହାଲି ଗ୍ରାମର କିଶୋରେ ମେହେର ଓ ତାଙ୍କ ଧର୍ମ ପତ୍ନୀ ଅମ୍ବିକା ମେହେରଙ୍କ ଅନୁସାରେ ଗୋଷ୍ଠୀ କେନ୍ଦ୍ରରେ ଡାକ୍ତରଙ୍କ ଅନୁପସ୍ଥିତି ହେତୁ ତାଙ୍କ ନବ ଜାତକୁ ହରାଇଛନ୍ତି । ଗର୍ଭ ଧାରଣ ସମୟରୁ ଡାକ୍ତର ପଣ୍ଡାଙ୍କ ଚିକତ୍ସାଧୀନ ଥିଲେ । ପ୍ରସବ ସମୟରେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ନର୍ସ ଦ୍ୱାରା ପ୍ରସବ କରିବାକୁ ପଡିଲା, ଯାହା ତାଙ୍କ ନବଜାତ ଶିଶୁ ମୃତ୍ୟୁର କାରଣ ବୋଲି କହିଛନ୍ତି । । ରାଜ୍ୟ ସରକାର ଗର୍ଭବତୀ ମହିଳା ଓ ନବଜାତ ମୃତ୍ୟୁ ହାର ରୋକିବାପାଇଁ ଯୋଜନା କରିଛନ୍ତି । ସୁରକ୍ଷିତ ପ୍ରସବ ପାଇଁ ଡାକ୍ତରଖାନାରେ ପ୍ରସବ କରାଇବା ଉପରେ ପ୍ରଚାର ପ୍ରସାର ଏପରିକି ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁଁ ଦୈନନ୍ଦିନ ବହୁଲୋକ ଚିକିତ୍ସା ନପାଇ ଫେରିଯିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଖାଲିଥିବା ଡାକ୍ତର ପଦବୀ ପୂରଣ ସହ ଘରୋଇ କ୍ଲିନିକ ଚିକିତ୍ସା ବନ୍ଦ ପାଇଁ ଅଂଚଳରେ ଦାବୀ ହେଉଛି ।