ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଝୁଲିଲା ତାଲା

0 388

କଣ୍ଟାମାଳ ୧୬/୧୧- କଣ୍ଟାମାଳ ବ୍ଳକ କୁଲତାଯୋର ପଞ୍ଚାୟତ ବରପଦର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ସକାଳେ ଗ୍ରାମବାସୀ ତାଲା ଠୁଙ୍କି ଜୈନିକ ଶିକ୍ଷକଙ୍କ ବଦଳୀ ପାଇଁ ପ୍ରତିବାଦ କରିଥିବା ଜଣାଯାଇଛି । ସୂଚନା ପ୍ରକାରେ ବିଦ୍ୟାଳୟର ଜୈନିକ ଶିକ୍ଷକଙ୍କ ଶିକ୍ଷାଦାନ ଅବହେଳା ସହିତ ରାଜନୈତିକ କାର୍ଯ୍ୟରେ ସଂପୃକ୍ତକୁ ନେଇ ଗ୍ରାମବାସୀ ଗତ ମାସ ୨୮ ତାରିଖରେ ସ୍ଥାନୀୟ ବିଧାୟକଙ୍କ ଜରିଆରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ କରିବାର ଦୁଇ ସପ୍ତାହ ପରେବି ଶିକ୍ଷା ବିଭାଗ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଆଜି ସକାଳେ ଅଭିଯୋଗକାରୀ ଗ୍ରାମବାସୀ ବିଦ୍ୟାଳୟ ମୂଖ୍ୟ ଫାଟକରେ ତାଲା ମାରି ପ୍ରତିବାଦ କରିଥିବା ପ୍ରକାଶ । ତାଲା ମାରିବାରୁ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଦୀର୍ଘ ସମୟ ଧରି ବିଦ୍ୟାଳୟ ବାହାରେ ରହି ଫେରି ଯାଇଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ବୁଝାସୁଝା କଲେ ବି କୌଣସି ସମାଧାନର ପନ୍ଥା ବାହାରିନଥିଲା । ଅପରାହ୍ନରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ହସ୍ତକ୍ଷେପ ପରେ ସଂପୃକ୍ତ ଶିକ୍ଷକଙ୍କୁ ନିକଟସ୍ଥ ବିଦ୍ୟାଳୟକୁ ବଦଳି ଚିଠା ଗ୍ରାମବାସୀଙ୍କୁ ପ୍ରଦାନ କରାଯିବା ପରେ ତାଲା ବନ୍ଦ ପ୍ରତ୍ୟାହୃତ ହୋଇଥିଲା । ପ୍ରକାଶଯୋଗ୍ୟ ଯେ ବରପଦର ଗ୍ରାମଟି କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ନିଜସ୍ୱ ଗ୍ରାମ ହୋଇଥିବା ବେଳେ ବିଧାୟକଙ୍କ ପାରବାରିକ ସଂପର୍କୀୟ ଶିକ୍ଷକଙ୍କ ରାଜନୈତିକ ସଂପୃକ୍ତି ନେଇ ବଦଳି ଦାବୀ ଅଞ୍ଚଳରେ ବେଶ ଆଲୋଚନାର ବିଷୟ ହୋଇଛି । ବଦଳି ହୋଇଥିବା ଶିକ୍ଷକଙ୍କ ମତାମତ ନେବାରୁ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଏବଂ ମୋ ବିଷୟରେ ଅଭିଯୋଗ କରିଥିବା ଗ୍ରାମବାସୀ ଅଭିଭାବକ କି ବିଦ୍ୟାଳୟ ପରିଚାଳନା କମିଟିର ନୁହଁନ୍ତି ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

three × five =