କସମ କନ୍ଧମାଳ ହଳଦୀକୁ ଜିଆଇ ମାନ୍ୟତା ମିଳିବା ପରେ ସର୍ବ ଭାରତୀୟ ସ୍ତରରେ ଏନଆଇପି ଦ୍ୱାରା ପୁରସ୍କୃତ

0 158

ଫୁଲବାଣୀ :ଓଡିଶା ପ୍ରସିଦ୍ଧ କନ୍ଧମାଳ ହଳଦୀକୁ ପୁଣି ମିଳିଲା ଏନଆଇପି ଆୱାର୍ଡ । କୃଷି ବର୍ଗରେ ସର୍ବାଧିକ ଭୋଟ ପାଇ ଏହି ପୁରସ୍କାର ଲାଭ କରିଛି କନ୍ଧମାଳ ହଳଦୀ । ନୂଆଦିଲ୍ଲୀଠାରେ ଆଇପି କନଫରେନ୍ସରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ତେବେ ପୁରସ୍କାର ଗ୍ରହଣ କରିବାକୁ ପହଞ୍ଚି ପାରିନଥିଲେ କେହି । ଏଥି ପୂର୍ବରୁ ଉତ୍କୃଷ୍ଟ ମାନ ଓ ଗୁଣ ବତ୍ତାପାଇଁ କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ ମିଳିଥିଲା । ଏବେ ୨୦୨୧ -୨୨ ବର୍ଷ ପାଇଁ ଏନଆଇପି ଆୱାର୍ଡ ମିଳିଛି ।
ପ୍ରଥମ ଥର ପାଇଁ ଜିଆଇ ମାନ୍ୟତା ପାଇଥିବା ସାମଗ୍ରୀକୁ ନେଇ (ନ୍ୟାସନାଲ ଇଣ୍ଟେଲେକଚୁଆଲ ପ୍ରପରଟି )ଏନ ଆଇପି ଆୱାର୍ଡ ଆୟୋଜିତ ହୋଇଥିଲା । ଏଥିପାଇଁ ଦେଶରେ ଭୋଟିଂ ମାଧ୍ୟମରେ ଜନମତ ସର୍ଭେ ହୋଇଥିଲ । ଏଥିରେ ସର୍ବାଧିକ ଭୋଟ ପାଇଥିବା ସାମଗ୍ରୀ ଗୁଡିକୁ ପୁରସ୍କୃତ କରାଯାଇଥିଲା । କୃଷି, କଳା, ଖାଦ୍ୟସାମଗ୍ରୀ ଆଦି ପାଞ୍ଚଟି ବର୍ଗରେ ଏହି ପୁରସ୍କାର ଦିଆଯାଇଥିଲା । କୃଷି ବର୍ଗରେ କନ୍ଧମାଳ ହଳଦୀକୁ ଏହି ପୁରସ୍କାର ମିଳିଛି । ପୁରସ୍କାର ପାଇବା ପରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, କନ୍ଧମାଳ ହଳଦୀ ସୋସାଇଟି କସମର ସମ୍ପାଦକ ସଞ୍ଜିତ ପଟ୍ଟନାୟକ ଓ ଭୁବେନେଶ୍ୱର ବ୍ରାଞ୍ଚ ହେଡ଼ ତଥା ଅବସରପ୍ରାପ୍ତ ଉଦ୍ୟାନ ଉପନିର୍ଦ୍ଦେଶକ ମନୋଜ ଦାସ, ବର୍ତ୍ତମାନର ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ମିହିର କୁମାର ସାମନ୍ତରାୟ ପ୍ରମୁଖଙ୍କ ସମେତ ହଳଦୀ ଚାଷୀ ମାନେ ଖୁସି ବ୍ୟକ୍ତ କରିଛନ୍ତି । ଏହାଦ୍ୱାରା ଉନ୍ନତ ମାନର ହଳଦୀ ପ୍ରସ୍ତୁତ ସହ ପ୍ରଚାରପ୍ରସାର ପାଇଁ ନିଷ୍ଠା, ଆନ୍ତରିକତା ଓ ଅଧିକ ଉତ୍ସାହର ସହ କାମ କରିବା ଲାଗି ପ୍ରେରଣା ମିଳିବ ବୋଲି ସମ୍ପାଦକ ସଞ୍ଜିତ ପଟ୍ଟନାୟକ କହିଛନ୍ତି । ଚାଷୀମାନେ ମଧ୍ୟ ଏହାଦ୍ୱାରା ଉତ୍ସାହିତ ହୋଇ ଅଧିକ ହଳଦୀ ଉତ୍ପାଦନ କରିବେ ବୋଲି ସେ କହିଛନ୍ତି । କସମ ସମ୍ପାଦକଙ୍କ ନିଷ୍ଠାପର ଉଦ୍ୟମ,ଆଗ୍ରହ, ଓ ପରିଶ୍ରମ ଯୋଗୁଁ କନ୍ଧମାଳ ହଳଦୀ ଜିଆଇ ମାନ୍ୟତା ପାଇପାରିଥିଲା ଓ ଆଉ ଏବେ ଏନଆଇପି ଆୱାର୍ଡ ପାଇ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି । ଏହାଦ୍ୱାରା କନ୍ଧମାଳ ହଳଦୀର ଚାହିଦା ବୃଦ୍ଧି ପାଇବ ନିଶ୍ଚୟ ବୋଲି ଚର୍ଚ୍ଚା ହେଉଛି ।

hiranchal ad1
Leave A Reply

Your email address will not be published.

three × 2 =