ଅଙ୍ଗନୱାଡିକର୍ମୀ ଚୟନରେ ଅନିୟମିତତା ଆଶଙ୍କା ନେଇ
ଅଭିଯୋଗ କଲେ ଆଶାୟୀ

0 66

କୋକସରା:- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡଙ୍ଗା ଗ୍ରାମର ଅଙ୍ଗନୱାଡି କେନ୍ଦ୍ର-୧ର କର୍ମୀ ଚୟନରେ ଗଡ଼ବଡ଼ ହେବା ଆଶଙ୍କା କରିଛନ୍ତି ଆଶାୟୀ ପ୍ରାର୍ଥିନୀ ଓ ଗ୍ରାମବାସୀ । ଏନେଇ ଆଜି ଗ୍ରାମବାସୀ ମାନେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଧର୍ମଗଡ ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗତ ୨୯/୧୨/୨୦୨୨ ତାରିଖରେ ବରାଡଙ୍ଗା କେନ୍ଦ୍ର-୧ର ଅଙ୍ଗନୱାଡି କର୍ମୀ ଚୟନ ପାଇଁ ନିଯୁକ୍ତି ପ୍ରକାଶ ପାଇଥିଲା । ସେଥିରେ ଜଣେ ପ୍ରାର୍ଥିନୀ ବରାଡଙ୍ଗା ଗ୍ରାମର ନୁହଁନ୍ତି, ତାଙ୍କୁ କେମିତି ଚୟନ ତାଲିକାରେ ଉଲ୍ଲେଖ କରାଯାଇଛି । ଜୈନିକା ପ୍ରାର୍ଥିନୀ ଜଣକ ବରାଡଙ୍ଗା ଗ୍ରାମର ନୁହଁନ୍ତି, ସେ ଭଁଇରୀପାଲି ଗ୍ରାମର ବୋଲି ଗ୍ରାମବାସୀ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ପୂର୍ବରୁ ଥିବା ଅଙ୍ଗନୱାଡି କର୍ମୀ ବରାଡଙ୍ଗା ଗ୍ରାମର କୈାଣସି ପ୍ରାର୍ଥିନୀ ଏହି ପଦବି ଯେମିତି ନ ପାଇବେ ସେନେଇ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଆଣି ମାସେ ଦେଢ଼ମାସ ତଳେ ମନ୍ଦିରରେ ବିବାହ କରେଇଥିବା ଶୁଣିବାକୁ ପାଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଜଣେ ନାଗରିକ ଗୋଟିଏ ସ୍ଥାନରେ ୬ମାସ ବସବାସ କଲେ ହିଁ ତାଙ୍କର ସ୍ଥାୟୀ ବାସିନ୍ଦା ବିବେଚିତ ହେବାକଥା, କିନ୍ତୁ ମାସେ ଦେଢ ମାସ ଭିତରେ କେମିତି ସ୍ଥାନୀୟ ବାସିନ୍ଦା ପ୍ରମାଣପତ୍ର ହାସଲ କରାଯାଇଛି ତାଙ୍କୁ ନେଇ ଆଶାୟୀ ପ୍ରାର୍ଥିନୀ ଓ ଗ୍ରାମବାସୀ ମାନଙ୍କ ମନରେ ସନ୍ଦେହ ଉପୁଜିଛି । ତେଣୁ ଅଙ୍ଗନୱାଡି କର୍ମୀ ଚୟନରେ ଗଡ଼ବଡ଼ ହେବା ଆଶଙ୍କା ରହିଥିବାବେଳେ ଗାଁର ପ୍ରାର୍ଥିନୀଙ୍କୁ ଅଗ୍ରାଧିକାର ଦିଆଯାଉ ବୋଲି ବୁଧବାର କୋକସରା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସରୋଜା ଦେବୀ, କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗ ଓ ଧର୍ମଗଡ ଉପଜିଲ୍ଲାପାଳଙ୍କୁ ୱାର୍ଡ଼ସଭ୍ୟ ହେମନ୍ତ ସାହୁଙ୍କ ନେତୃତ୍ୱରେ ୱାର୍ଡ଼ ସଭ୍ୟା ସୁଲୋଚନା ଭଇଁଷାଲ, ଗ୍ରାମର ସିଦେ୍ଧଶ୍ୱର ନାଏକ, ପୁଷ୍ପାଞ୍ଜଳି ବଞ୍ଜାରା, ସଙ୍ଗୀତା ଧାରୁଆ, ଋତୁରାଜ ନାଏକ, ପୂର୍ବତନ ସରପଞ୍ଚ ଗୋକୁଳ ନାଏକ, ମୋହନ ଭଇଁଷାଲ, ନରେନ୍ଦ୍ର ମାଝୀ, ବିଶ୍ୱ ରଞ୍ଜନ ନାଏକ, ମେନକା ବାଗ, ଜୟଲାଲ ବାଗ, ନକୁଲ ନାଗ, ନିର୍ଭୟ ଠାକୁର, ତୁଲାରାମ ବାଗ ସମେତ ବହୁ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଏବଂ ତଦନ୍ତ କରି ଉଚିତ୍‌ ପଦକ୍ଷେପ ଗ୍ରହଣ କରିବାକୁ ଗୁହାରି କରିଛନ୍ତି । ନଚେତ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଆଶାୟୀ ପ୍ରାର୍ଥିନୀ ଓ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

18 − 13 =