ମାଁ ସମଲେଶ୍ୱରୀ ମନ୍ଦିରରେ ‘ଲାଇଟ୍‌ ଆଣ୍ଡ ସାଉଣ୍ଡ’କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0 107

ସମ୍ବଲପୁର; ପଶ୍ଚିମ ଓଡିଶାର ପ୍ରମୁଖ ଗଣପର୍ବ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଁ ସମଲେଶ୍ୱରୀ ମନ୍ଦିରରେ ‘ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌ ଶୋ’ କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଭିଡିଓ କନଫରେନି୍ସଂ ଜରିଆରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ‘ନୂଆଁଖାଇ ଜୁହାର’ ଜଣାଇବା ସହ ଏହି ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌ ଶୋ’ ଏଠାକୁ ଆସୁଥିବା ଭକ୍ତମାନଙ୍କୁ ସମ୍ବଲପୁର ତଥା ଓଡିଶାର ଗୌରବମୟ ଇତିହାସ ବିଷୟରେ ପରିଚିତ କରାଇବ ବୋଲି କହିଛନ୍ତି । ଭର୍ଚ଼ୁଆଲ ମୋଡରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, “ସମ୍ବଲପୁରୀ ଭାଷାର ସ୍ୱତନ୍ତ୍ର ମାଧୁର୍ଯ୍ୟ ରହିଛି । ଯେତେବେଳେ ସମ୍ବଲପୁରୀ ଭାଷାରେ ଆମ ବନ୍ଧୁଗଣ କଥା ହୁଅନ୍ତି ତାହା ଶୁଣିବାକୁ ବହୁତ ଭଲ ଲାଗେ । ସମ୍ବଲପୁରୀ ଗୀତ ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି ତଥା ସମ୍ବଲପୁରୀ ନୃତ୍ୟ ଓ ଗୀତ ତ ଅତି ମନଛୁଆଁ । ସମ୍ବଲପୁରୀ ଶାଢୀ କେବଳ ଓଡିଶାର କାହିଁକି ସମଗ୍ର ଭାରତର ଗୌରବ ବୃଦ୍ଧି କରିଛି ।

hiring


କବି ଗଙ୍ଗାଧର ମେହେରଙ୍କ ଅମରକୃତି ଓଡିଆ ଭାଷା ଓ ସାହିତ୍ୟକୁ କାଳଜୟୀ କରିଛି । ସମ୍ବଲପୁର ଭୂମି ହେଉଛି ସଂଗ୍ରାମ ଓ ସଂସ୍କୃତିର ମହାନପୀଠ । ଦେଶ ଓ ଜାତି ପାଇଁ ବୀରସୁରେନ୍ଦ୍ର ସାଏଙ୍କ ସଂଗ୍ରାମ ସହିତ ତ୍‌ଯାଗ ତାଙ୍କୁ କିମ୍ବଦନ୍ତୀ କରି ଗଢିଛି, ସେ ଥିଲେ ଅଜେୟ । ହୀରାକୁଦଠାରୁ ଆରମ୍ଭ କରି ଦେବ୍ରିଗଡ ଅଭୟାରଣ୍ୟ, ହୁମା ଅବନତ ମନ୍ଦିର, ହରିଶଙ୍କର, ନୃସିଂହନାଥ ଏସବୁ ହେଉଛି ଆମ ଓଡିଶାର ପ୍ରତିଷ୍ଠିତ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ । ଐତିହାସିକ ନୃସିଂହନାଥ ଓ ହରିଶଙ୍କର ମନ୍ଦିରର ବିକାଶ ପାଇଁ ମଧ୍ୟ ଆମେ ଯୋଜନା କରିଛୁ । “ସମଲେଶ୍ୱରୀ ପୀଠର ବିକାଶ ପାଇଁ କାମ ଆରମ୍ଭ ହୋଇଛି । ଏହି ରୂପାନ୍ତରଣରେ ସବୁଠୁ ଅଧିକ ଉପକୃତ ହେବେ ସ୍ଥାନୀୟ ଲୋକମାନେ । ଏହି ରୂପାନ୍ତରର ଲକ୍ଷ୍ୟ ହେଉଛି, ଆମ ସଂସ୍କୃତି, ପରମ୍ପରାକୁ ବିଶ୍ୱମୁଖୀ କରି ଅର୍ଥନୀତିକୁ ସମୃଦ୍ଧ କରିବା । ମାଁ ସମଲେଶ୍ୱରୀ ପୀଠକୁ ଲକ୍ଷଲକ୍ଷ ଭକ୍ତ ଆସୁଛନ୍ତି । ଏହି ରୂପାନ୍ତରଣ ସେମାନଙ୍କୁ ପବିତ୍ର ଅନୁଭବ ଦେବାରେ ସାହାଯ୍ୟ କରିବ । ଆପଣମାନଙ୍କ ସମସ୍ତଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଖୁବଶୀଘ୍ର ଆଗକୁ ବଢିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ବିଶ୍ୱାସ ଜଣାଇଛନ୍ତି ।

ଏହି ଉଦଘାଟନ କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ, ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ , ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମାଁ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ସଞ୍ଜୟ ବାବୁ, ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ସମ୍ବଲପୁର ଜିଲ୍ଲାପାଳ ଶୁଭମ୍‌ ସକସେନା, ଓଟିଡିସି ଜେନେରାଲ ମ୍ୟାନେଜର ଶାନ୍ତନୁ କୁମାର ମହାନ୍ତି, ସମ୍ବଲପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ(ଡିଆରଡିଏ) ସୁକାନ୍ତ ତ୍ରିପାଠୀ, ସମ୍ବଲପୁର ଉପଜିଲ୍ଲାପାଳ ମୟୂର ସୂର୍ଯ୍ୟବଂଶୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ହେମନ୍ତ ପ୍ରଧାନଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ‘ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ’ ନିମନ୍ତେ ସାଢେ ୭କୋଟି ଟଙ୍କା ବ୍ୟୟ କରାଯାଇଛି । ପ୍ରାୟ ୩୭ ମିନିଟର ଏହି ‘ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ’କୁ ଉଭୟ ଓଡିଆ ଓ ହିନ୍ଦୀ ଭାଷାରେ ଶ୍ରଦ୍ଧାଳୁମାନେ ଉପଭୋଗ କରିପାରିବେ । ଷୋଡଶ ଶତାବ୍ଦୀର ପ୍ରସିଦ୍ଧ ଏହି ମାଁ ସମଲେଶ୍ୱରୀ ମନ୍ଦିରର ଗୌରବମୟ ଇତିହାସ ସମ୍ପର୍କରେ ଶ୍ରଦ୍ଧାଳୁମାନେ ଜାଣିବାର ସୁଯୋଗ ପାଇବେ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକମାନଙ୍କର ଗବେଷଣାତ୍ମକ ତଥ୍ୟକୁ ଏହି ଶୋ’ରେ ଜୀବନ୍ତ ରୂପ ଦେବାକୁ ପ୍ରୟାସ କରା ଯାଇଛି । ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଲୋକକବି ହଳଧର ନାଗଙ୍କ କବିତା ଓ ପଙ୍କଜ ଜାଲଙ୍କ ସଙ୍ଗୀତ ଏହାକୁ ଅଧିକ ମନ୍ତ୍ରମୁଗ୍ଧ କରିଦେଇଛି । ନୂଆଁଖାଇ ଅବସରରେ ପଶ୍ଚିମ ଓଡିଶାର କଳାକାର ମାନଙ୍କୁ ନେଇ ଭର୍ଚୁଆଲ ମୋଡରେ ସାଂସ୍କୃତିକ ନାଚଗୀତ କାର୍ଯ୍ୟକ୍ରମ ‘ନୂଆଁଖାଇ ଭେଟଘାଟ’ ଅନୁଷ୍ଠିତ ହେଲା । ପଶ୍ଚିମ ଓଡିଶାର ୫ଟି ଜିଲ୍ଲାର ୯ଟି ଟିମ୍‌ ଏହି ଲୋକନୃତ୍ୟ, କଳା ଓ ସଂସ୍କୃତିର ପ୍ରଦର୍ଶନ କରିଥିଲେ । ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗ ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ଉଦ୍ୟମରେ ଏହି ‘ନୂଆଁଖାଇ ଭେଟଘାଟ’ ରେ ପଶ୍ଚିମଓଡିଶାର କଳାକାରମାନେ ନିଜ ଅଂଚଳର ପାରମ୍ପରିକ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ । ଯାହାକୁ ସମସ୍ତେ ଟେଲିଭିଜନ ମାଧ୍ୟମରେ ଦେଖିବାର ସୁଯୋଗ ପାଇପାରିବେ ।

hiranchal ad1
Leave A Reply

Your email address will not be published.

13 + thirteen =