ରତ୍ନସିଂହାସନକୁ ବାହୁଡ଼ିବେ ମହାପ୍ରଭୁ

0 95

ପୁରୀ : ଆଉ ଗୋଟିଏ ଦିନ ପରେ ମହାପ୍ରଭୁ ନବଦିନ ଯାତ୍ରା ସାରି ରତ୍ନସିଂହାସନକୁ ବାହୁଡ଼ିବେ I ଆଜି ସକାଳେ ତିନି ରଥ ଉପରେ ମହାପ୍ରଭୁଙ୍କ ମଙ୍ଗଳଆଳତି ସରିବା ପରେ ଅନ୍ୟାନ୍ୟ ନୀତି ଚାଲୁରହିଛି I ତିନି ଠାକୁରଙ୍କୁ ରଥରେ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କର ଭିଡ଼ ସକାଳୁ ସକାଳୁ ଦେଖିବାକୁ ମିଳିଛି | ଅନ୍ୟପଟରେ, ଆଜି ସନ୍ଧ୍ୟାରେ ତିନି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହେବ I ତିନିରଥକୁ ସ୍ୱତନ୍ତ୍ର ଉପଚାରରେ ପୂଜା କରାଯାଇ ପ୍ରସ୍ତୁତ କରାଯାଇଥିବା ସମୟରେ ରଥରେ ବହୁ ଦେବା ଦେବୀ ବିରାଜମାନ କରିଥାନ୍ତି I ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପର୍ଣ୍ଣ ପରେ ସମସ୍ତ ପାର୍ଶ୍ୱ ଦେବାଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡା ମାନଙ୍କୁ ଶାନ୍ତି କରିବା ପାଇଁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥଉପରେ ଭଙ୍ଗା ଯିବାର ବିଧି ରହିଛି | ସ୍ୱତନ୍ତ୍ର ଭାବେ ଏହି ପଣାକୁ ଶ୍ରୀବିଗ୍ରହ ମାନଙ୍କର ଅଧର ପର୍ଯ୍ୟନ୍ତ ନିର୍ମିତ ତିନି ତିନଟି ତୁମ୍ଭାକାର ହାଣ୍ଡିରେ ପ୍ରସ୍ତୁତ କରାଯାଇଥାଏ I ଅନ୍ୟପଟେ ଗତକାଲି ସୁନାବେଶ ଦର୍ଶନ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି I ଗତକାଲି ସନ୍ଧ୍ୟା ୬ ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଏହି ଦୁର୍ଲଭ ସୁନାବେଶ ଦର୍ଶନ କରିଥିଲେ I ରାତି ୧୧ ଟା ରେ ସୁନାବେଶ ଓଲାଗି କରାଯିବା ପରେ ରାତ୍ର ପହୁଡ଼ କରାଯାଇଥିଲା I ଶ୍ରୀପଞ୍ଚମୀ ଦିନଠାରୁ ତିନିରଥର ଯଜ୍ଞ ଉଶ୍ଚବ ଅନୁଷ୍ଠିତ ହୋଇ ରଥ ନିର୍ମାଣ ପାଇଁ ପ୍ରସ୍ତୁତି ସହ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣର ଶୁଭାରମ୍ଭ ହୋଇଥିଲା I ତିନିରଥର ନିର୍ମାଣ ପରେ ସ୍ୱତନ୍ତ୍ର ଭାବେ ପାର୍ଶ୍ୱ ଦେବାଦେବୀ ମାନେ ବିଜେ କରି ନବଦିନ ଯାତ୍ରାରେ ମହାପ୍ରଭୁଙ୍କ ସହ ଯାଇଥିଲେ I ବିଶ୍ୱାସ ରହିଛି ଯଜ୍ଞ ପୂଜା ଦ୍ୱାରା ରଥଯାତ୍ରା ସମୟରେ ଶ୍ରୀଜିଉମାନଙ୍କ ସହିତ ବହୁ ଦେବାଦେବୀ,ଚଣ୍ଡୀ, ଚାମୁଣ୍ଡା ମଧ୍ୟ ଯାତ୍ରା କରିଥାନ୍ତି I ତେବେ ସେମାନଙ୍କ ସନ୍ତୁଷ୍ଟି ପାଇଁ ସ୍ୱତନ୍ତ୍ର ଭାବେ ବଡଓଡ଼ିଆ ମଠ, ରାଘବଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଛେନା, ଛାଚି, କ୍ଷୀର, ସର, ଗୋଲମରିଚ, କର୍ପୁର, ଜାଇଫଳ, କଦଳୀ ଆଦିକୁ ମିଶ୍ରଣ କରାଯାଇ ପଣା ପ୍ରସ୍ତୁତ କରାଯିବା ସହ ଏହାକୁ ରଥ ଉପରେ ଭଙ୍ଗାଯିବ I କୁମ୍ଭ ଆକାରରେ ନିର୍ମିତ ମାଟିହାଣ୍ଡି ରେ ଏହି ଦୁର୍ଲଭ ପଣା ପ୍ରସ୍ତୁତ କରାଯିବ I ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠର କୂଅରୁ ପାଣି ଆଣି ସେବକ ମାନେ ପଣା ପାଇଁ ଯୋଗାଇବେ | ପରେ ପତ୍ରିବଡୁ, ସୁଆର ବଡ଼ୁ, ଗରାବଡୁ ସେବକ ତିନିରଥରେ ପଣା ପ୍ରସ୍ତୁତ କରିବା ସହ ପୂଜାପଣ୍ଡା ମାନେ ପଞ୍ଚ ଉପଚାର ରେ ପୂଜା କରି ରଥ ଉପରେ ଅଧର ହାଣ୍ଡିକୁ ଭାଙ୍ଗିଵା ପରେ ପାର୍ଶ୍ୱ ଦେବା ଦେବୀ, ଚଣ୍ଡୀ ଚାମଣ୍ଡା, ଓ ଅଶରିରି ମାନେ ଏହି ପଣାକୁ ପାଇ ଆତ୍ମ ତୃପ୍ତି ଲାଭ କରିବେ I ମଧ୍ୟାହ୍ନ ଧୂପ ପରେ ଅଧର ପଣା ନୀତି ଅନୁଷ୍ଠିତ ହେବ ବୋଲି ଜଣାପଡିଛି |

hiranchal ad1
Leave A Reply

Your email address will not be published.

3 + 7 =