ମହାବୀର କ୍ଷେତ୍ରରେ ଲଙ୍କାପୋଡ଼ି ଯାତ୍ରା, ଲଙ୍କା ପୋଡ଼ି ବା ରାବଣ ପୋଡ଼ି ଯାତ୍ରା ସଂପନ୍ନ

0 451

ଦଶପଲ୍ଲା : ଭାରତ ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରାର ରାବଣ ବଧଟି ମୁଖ୍ୟ ଉତ୍ସବ ଭାବରେ ଗଣନା କରାଯାଏ । ଏହି ପ୍ରସଙ୍ଗଟି ତିନୋଟି ମଂଚରେ ଅଭିନୀତ ହୁଏ । ସର୍ବ ପ୍ରଥମେ ମୁଖ୍ୟ ମଂଚରେ ଇନ୍ଦ୍ରଜିତ ବଧ ପ୍ରସଙ୍ଗଟି ଖୁବ୍‌ ରୋଚକ ଭାବେ ଅନୁଷ୍ଠିତ ହୁଏ । ଇନ୍ଦ୍ରଜିତ ଦିବ୍ୟରଥ ଓ ଅସ୍ତ୍ର ନିମନ୍ତେ ଯଜ୍ଞ କରୁଥିବା ବେଳେ ଲକ୍ଷ୍ମଣ ଅତର୍କିତ ଆକ୍ରମଣ କରି ତାହାର ବଧ କରନ୍ତି । ତଦନ୍ତେ ଶୋକାତୁର ରାବଣ ଲକ୍ଷ୍ମଣଙ୍କୁ ଏକଘନି ବ୍ରହ୍ମାସ୍ତ୍ର ଦ୍ୱାରା ଆହତ କରନ୍ତି । ମାତ୍ର ବୈଦ୍ୟ ଶୁଷଣଙ୍କ ପରାମର୍ଶରେ ଶ୍ରୀ ହନୁମାନ ହିମାଳୟରୁ ଗନ୍ଧମାର୍ଦ୍ଦନ ପର୍ବତର ଏକ ଶୃଙ୍ଗ ଆଣିବା ମଧ୍ୟରେ ଅଯୋଧ୍ୟା ବାଟରେ ଗମନ କଲାବେଳେ ଭରତଙ୍କ ବାଟୁଳିରେ ମୂର୍ଚ୍ଛାଗତ ହୋଇ ଭୂ ପତିତ ହୁଅନ୍ତି । ସେଠାରେ ଭରତ ସବୁକଥା ଜାଣିବା ପରେ ଶୋକ କରନ୍ତି । ମାତ୍ର ପୁନଶ୍ଚ ମହାବୀର ହନୁମାନ ପର୍ବତ ଧରି ଲଙ୍କା ଆଗମନ ବେଳେ ରାବଣ ସେନା ପଠାଇ ପ୍ରତିରୋଧ କରି ବିଫଳ ହୁଏ । ଶେଷରେ ଅମୃତ ତୁଲ୍ୟ ସଂଜିବନୀ ନେଇ ଲକ୍ଷ୍ମଣ ସୁସ୍ଥ ହୁଅନ୍ତି । ଏଣିକି ଶେଷ ସମୟ ଆରମ୍ଭ ହୁଏ । ମୁଖ୍ୟ ମଂଚରୁ ସମର ଆରମ୍ଭ ହୋଇ ସୁବଳ ଗିରୀ ମଂଚ ( ଗଣେଶ ବଜାର ) ପର୍ଯ୍ୟନ୍ତ ଆଗମନ ହୁଏ । ସେଠାରେ ସ୍ଥୁଳଜଙ୍ଗ ବଧ ହୁଏ । ଦେବରାଜ ଇନ୍ଦ୍ର ବିଜୟାରଥ ପ୍ରେରଣ କରନ୍ତି । ଗୋଟାଏ ଦିଗରେ ଦିବ୍ୟ ରଥରେ ରାମଲକ୍ଷ୍ମଣ ଓ ଅନ୍ୟପଟରେ ପୁଷ୍ପକ ବିମାନରେ ରାବଣ ଘୁମୁରା ,ଢୋଲ , ନିଶାଣ ଚାଙ୍ଗୁ , ମହୁରୀ ,ପରି ବହୁ ପାରମ୍ପାରିକ ବାଦ୍ୟ ସହ ଘମାଘୋଟ ଲଢେଇ ଚାଲେ ପ୍ରାୟ ଏକ କି.ମି. ଲଙ୍କାଗଡ଼ ମଂଚ (ଗାନ୍ଧୀ ପଡିଆ) ପର୍ଯ୍ୟନ୍ତ । ଏଠାରେ ଶ୍ରୀରାମ ବ୍ରହ୍ମଅସ୍ତ୍ର ପ୍ରୟୋଗ କରି ରାବଣକୁ ନିଧନ କରିବା ସଂଗେ ସଂଗେ ଏକ ରାବଣ ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ ହୁଏ । କାଷ୍ଟ ରାବଣର ମୁଖା ବକ୍ର କରାଯାଏ ଓ ଆତସବାଜୀ ପ୍ରଦର୍ଶନ ହୁଏ । ଅନେକ ମାନସିକ ଧାରି ସେମାନଙ୍କ ମାନସିକ ବାଣ ପ୍ରଦାନ କରିଥାନ୍ତି । ସବୁ ଆତସବାଜୀ ପ୍ରଦର୍ଶନପରେ ବିଭୀଷଣଙ୍କ ସିଂହାସନାରୋହଣ , ସୀତାଙ୍କ ଅଗ୍ନି ପରୀକ୍ଷାହୁଏ । ଶେଷରେ ବିଭୀଷଣଙ୍କ ଅନୁରୋଧକ୍ରମେ ଶ୍ରୀରାମ ଲକ୍ଷ୍ମଣ ସୀତା ବାନର ସେନା ପୁଷ୍ପକ ଯାନରେ ବସି ଅଯୋଧ୍ୟା ଗମନ ଦୃଶ୍ୟ ଅତିବ ବିରଳ । ତଳେ ହଜାର ହଜାର ଦର୍ଶକ ସମାବେଶ ଓ ଉପରେ ପୁଷ୍ପକ ବିମାନ ଗମନ ଏକ ସ୍ୱର୍ଗୀୟ ବାତାବରଣ ସୃଷ୍ଟି କରେ । ଆଜି ଦିନ ଏହି ମୁଖ୍ୟ ଉତ୍ସବ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ଲକ୍ଷାଧିକ ଜନ ସମାଗମ ହୋଇଥିଲା । ପ୍ରତ୍ୟାବର୍ତ୍ତନ ବେଳେ ବାଟସାରା ବନ୍ଦାପନା, ମିଠେଇ ବଂଟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା ମଧ୍ୟ ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

18 − 9 =