ଲଘୁ ଖଣିଜ ଉପରେ ଲାଗୁନି ରୋକ

0 152

ହରଭଙ୍ଗା : ମହାନଦୀ ବାଲି ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି। ହରଭଙ୍ଗା ତହସିଲ ଅଞ୍ଚଳରେ ଚାଲିଛି ଲଘୁ ଖଣିଜ ଲୁଣ୍ଠନ। ମହାନଦୀ କୂଳେ କୂଳେ ଗଢି ଉଠୁଛି ବେଆଇନ ବାଲି ଡ଼ିପୋ। ଜାଣି ଅଜଣା ସାଜିଛି ଲଘୁଖଣିଜ ବିଭାଗ । ସରକାର ସବୁବେଳେ ଲଘୁ ଖଣିଜ ଉପରେ କୋଟି କୋଟି ଟଙ୍କାର ରାଜସ୍ୱ ପାଇଥାନ୍ତି l ଏଥିପାଇଁ ପ୍ରତ୍ୟକ ଜିଲ୍ଲାରେ ଲଘୁ ଖଣିଜ ବା ମାଇନ୍ସ କାର୍ଯ୍ୟଳୟ ଖୋଲା ରହିଛି l କିନ୍ତୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାଫିଆଙ୍କ ସହ ସଲାସୁତୁରା ନୀତିରେ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଥିବା ନେଇ ସାଧରଣରେ ଅଭିଯୋଗ ହେଉଛି l ଏହାର ବାସ୍ତବ ଚିତ୍ର ଦେଖିବାକୁ ମିଳୁଛି ବୌଦ୍ଧ ଜିଲ୍ଲାରେ l ବୌଦ୍ଧ ଜିଲ୍ଲା ଦେଇ ୧୦୦ ରୁ ଉର୍ଦ୍ଧ କିଲୋମିଟର ମାନମୁଣ୍ଡା ଠାରୁ ଅତଲସରା ପର୍ଯ୍ୟନ୍ତ ମହାନଦୀ ପ୍ରବାହିତ ହେଉଛି। ମହାନଦୀ ଘାଟରୁ ରାଜସ୍ୱ ପାଇଁ ସରକାର ବାଲି ଉତ୍ତୋଳନ କରିବା ପାଇଁ ଲିଜଧାରୀ ମାନଙ୍କୁ ଅନୁମତି ପ୍ରଦାନ କରିଛନ୍ତି। କିନ୍ତୁ ଏବେ କିଛି ବାଲିମାଫିଆ ଓ ଲିଜଧାରୀ ଚତୁରତାର ସହ ନୂତନ ପନ୍ଥା ଆପଣେଇଛନ୍ତି। ସାଧାରଣତଃ ବର୍ଷାଦିନରେ ମହାନଦୀରୁ ବାଲି ଉତ୍ତୋଳନ କରିବା ସମ୍ଭବପର ହେଉ ନଥିବା ବେଳେ ଦର ମଧ୍ୟ ଅଧିକା ରହିଥାଏ। ତେଣୁ ବାଲି ମାଫିଆମାନେ ମହାନଦୀରେ ଜଳସ୍ତର କମିବା ସମୟରେ ବାଲିଘାଟରୁ ନିୟମ ଠାରୁ ଅଧିକ କିଉବିକ ବାଲି ଉତ୍ତୋଳନ କରି ନଦୀକୂଳ କିମ୍ବା କୌଣସି ଗାଁମୁଣ୍ଡରେ ଥିବା ଏକ ସରକାରୀ ଜମିରେ ବେଆଇନ ଭାବେ ବାଲି ଡ଼ିପୋ କରି ରଖିଥାନ୍ତି ଓ ବର୍ଷାଦିନ ଆସିଲେ ବାଲିକୁ ଚଢାଦରରେ ବିକ୍ରି କରିଥାନ୍ତି। ଏଭଳି ଦୃଶ୍ୟ ଏବେ ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ ଅନ୍ତର୍ଗତ ଧଳପୁର ପଞ୍ଚାୟତ ସକୁସିଙ୍ଗା ଗ୍ରାମରେ। ଗାଁ ମୁଣ୍ଡର ଏକ ସରକାରୀ ଜମିରେ ପାହାଡ଼ ଭଳି ବାଲି ଗଦା ହୋଇରହିଥିବା ଏବେ ଦେଖିବାକୁ ମିଳିଛି। ବାଲି ଗଦା ହେବା ଯୋଗୁଁ ଗାଁର ଚାଷ ଜମିକୁ ମାଡୁଥିବା ବର୍ଷା ପାଣି ମଧ୍ୟ ଚାଷ ଜମିରେ ମାଡି ପାରୁନାହିଁ । ଜମିକୁ ପାଣି ମାଡିବାରେ ବାଧା ସୃଷ୍ଟି କରୁଛି ଏହି ବେଆଇନ ବାଲିଗଦା। ବିଗତବର୍ଷ ଗୁଡିକରେ ମଧ୍ୟ ସେହି ଜାଗାରେ ହଜାର ହଜାର ଟ୍ରିପ ବେଆଇନ ଭାବେ ବାଲି ଗଦା କରି ମାଫିଆ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ସମୟରେ ପ୍ରଶାସନ ନିକଟରେ ଗ୍ରାମବାସୀଙ୍କ ଅଭିଯୋଗ ପରେ ପ୍ରଶାସନ ନାଲି ପତାକା ଦେଇ ବାଲି ବିକ୍ରି ଉପରେ ରୋକ ଲଗାଇ ଜୋରିମାନା କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଶାସନ ନିୟମକୁ ବାଲି ମାଫିଆ ଭୃକ୍ଷେପ ନକରି ରାତିଅଧିଆ ବାଲି ଚୋରାଚାଲାଣ କରିଥିବା ଘଟଣା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଏନେଇ ବୌଦ୍ଧ ଜିଲ୍ଲା ଲଘୁଖଣିଜ ଅଧିକାରୀଙ୍କୁ ପଚାରିବାରୁ ମୋ ପାଖରେ ଏଭଳି କୌଣସି ସୂଚନା ନାହିଁ। ଯଦି ଏଭଳି କିଛି ଅଭିଯୋଗ ରହିଛି ଘଟଣାର ତଦନ୍ତ କଲା ପରେ ଦୋଷୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଅନ୍ୟପଟେ ସମ୍ପୃକ୍ତ ଅଧିକାରୀ ଓ ମାଫିଆଙ୍କ ମଧ୍ୟରେ ମଧୁଷା ରହି ବାଲି ଚୋରାଚାଳଣ ଓ ଡିପୋ ଖୋଲୁଥିବା ସାଧାରଣରେ ଅଭିଯୋଗ ହେଉଛି l ଏଣୁ ଜିଲ୍ଲା ପ୍ରଶାସନ ଉକ୍ତ ବେଆଇନ ବାଲି ଡିପୋ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ବାଲି ମାଫିଆଙ୍କ କବଳରୁ ରକ୍ଷା ପାଇବ ବୋଲି ବୁଦ୍ଧିଯିବି ମହଲରେ ଅଭିଯୋଗ ହେଉଛି l

hiranchal ad1
Leave A Reply

Your email address will not be published.

5 − three =