ବୌଦ୍ଧ : କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ଡ. ଅଚ୍ୟୁତ ସାମନ୍ତ ଆଜି ଅପରାହ୍ନରେ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି କୋଭିଡ-୧୯ର ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଛନ୍ତି । ବୌଦ୍ଧ ସର୍କିଟ ହାଉସଠାରେ ଅନୁଷ୍ଠିତ ବୈଠକରେ ସାଂସଦ ପାଣ୍ଠିରୁ କୋଭିଡ-୧୯ ମୁକାବିଲା ଓ ଭିତ୍ତିଭୂମି ନିର୍ମାଣ ପାଇଁ ସେ ମଞ୍ଜୁର କରିଥିବା ୭୦ଲକ୍ଷ ଟଙ୍କାର ବିନିଯୋଗ ସଂପର୍କରେ ସମୀକ୍ଷା କରିଥିଲେ । ବୈଠକରେ ବୌଦ୍ଧ ବିଧାୟକ ପ୍ରଦିପ ଅମାତ, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧିକ୍ଷକ ଭି. ରଘୁନାଥ ରାଓ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାସ, ଉପଜିଲ୍ଲାପାଳ ଏନ୍.ସି. ଜ୍ୟୋତିରଂଜନ ନାୟକ ଉପସ୍ଥିତ ଥିଲେ ।
ସମସ୍ତେ ପୁରୁଣା ଜେଲ୍ ପରିସରରେ ନିର୍ମିତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଯାଇଥିଲେ । ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲକ୍ଷ୍ମୀଧର ସାହୁ ମଧ୍ୟ ଅନ୍ୟମାନଙ୍କ ସହିତ ଉପସ୍ଥିତ ଥିଲେ । ଏହା ସହିତ ହରଭଙ୍ଗା ବ୍ଲକ ବାମଣ୍ଡା ନିକଟରେ ମଡେଲ୍ ଡିଗ୍ରୀ କଲେଜର ସଙ୍ଗରୋଧ କେନ୍ଦ୍ରକୁ ଯାଇ ପରିଦର୍ଶନ କରିଥିଲେ ।
ସଙ୍ଗରୋଧ କେନ୍ଦ୍ରଗୁଡିକରେ ରହୁଥିବା ଅନ୍ତେବାସୀମାନଙ୍କର ଖାଦ୍ୟପେୟ ଓ ପରିଷ୍କାର ପରିଚ୍ଛନ୍ନତାରେ ଯେମିତି କୌଣସି ଅସୁବିଧା ନହୁଏ, ସେଥିପାଇଁ ସମସ୍ତ ପଦକ୍ଷେପ ନେବାକୁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ କୋଭିଡ ମହାମାରୀର ମୁକାବିଲା ପାଇଁ ଭିତ୍ତିଭୂମି ପ୍ରସ୍ତୁତି ସକାଶେ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀକୁ ସାଂସଦ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ବୌଦ୍ଧ ସ୍ୱାସ୍ଥ୍ୟ ବିଭାଗକୁ ଡ.ସାମନ୍ତ ୭୦ଲକ୍ଷ ଟଙ୍କା ପୂର୍ବରୁ ପ୍ରଦାନ କରିଥିଲେ ।